ଲୁଟେରଙ୍କ ଚରାଭୁଇଁ ପାଲଟିଛି ହିଞ୍ଜିଳି ୭ଲକ୍ଷଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ବିଦ୍ୟୁତ ତାର ଚୋରି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି। ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଗତ ୧ ମାସ ମଧ୍ୟରେ ହିଞ୍ଜିଳି ଥାନା ଇଲାକାରେ ୫୦ରୁ ଉର୍ଦ୍ଧ୍ଵ ଚୋରୀ ଘଟଣା ଘଟିଥିବା ନଜିର ରହିଛି। କେତେବେଳେ ମୋଟର ସାଇକେଲ ତ ଆଉ କେତେବେଳେ ମୋବାଇଲ ଫୋନ୍। କେତେବେଳେ ମନ୍ଦିର ଦାନହୁଣ୍ଡି ତ ଆଉ କେତେବେଳେ ପାଣିପମ୍ପ, ଘରକରଣା ସାମଗ୍ରୀ ସହ ଆଉ କେତେବେଳେ ଟଙ୍କା ଓ ସୁନା । ହିଞ୍ଜିଳି ଥାନା ଇଲାକାରୁ ବିଭିନ୍ନ ସମୟରେ ସିରିଜ ଚୋରୀ ଘଟୁଥିଲେ ମଧ୍ୟ ହିଞ୍ଜିଳି ପୁଲିସ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ। ଯଦି ବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ହୁଏ କିମ୍ବା ଉଚ୍ଚ ପଦାଧିକାରୀଙ୍କ ଚାପ ପ୍ରୟୋଗ ହୁଏ, ତା’ହେଲେ ଥାନାରେ ମାମଲା ରୁଜୁ ହୁଏ । ଘଟଣାର ତଦନ୍ତ ଚାଲିଛି, ଏତିକିରେ ପୁଲିସ ନିରବ। ଘଟଣାର ତଦନ୍ତ ହୋଇ ଚୋରୀ ଘଟଣାର ତଦନ୍ତ ହେଉନି କି ଚୋରୀ ସାମଗ୍ରୀ ଉଦ୍ଧାର ହେଉନି। କେବଳ ଥାନାରେ ମାମଲା ରୁଜୁ ହେଉଛି। ହିଞ୍ଜିଳି ଥାନା ଇଲାକାରେ ବାରମ୍ବାର ଚୋରୀ ଘଟଣା ଘଟୁଥିବା ବେଳେ ପୁଲିସ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଗତ ୧ ମାସ ମଧ୍ୟରେ ହିଞ୍ଜିଳି ଥାନା ଅଞ୍ଚଳରୁ କେତେ ମୋଟର ସାଇକେଲ, ମୋବାଇଲ ଫୋନ୍, ପାଣିପମ୍ପ ଚୋରୀ ହୋଇଛି ତାହାର ହିସାବ ନାହିଁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଓଡିଏସ୍ଏସ୍ପି-୪ ଯୋଜନାରେ ଗଣ୍ଡଳା ଗ୍ରାମରୁ ଶାସନଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ବିଦ୍ୟୁତତାର ସଂଯୋଗ କାର୍ଯ୍ୟ ଚାଲିଛି। ତେବେ ଏହି ନିର୍ମାଣାଧୀନ କାର୍ଯ୍ୟବେଳେ ଏହାର ପ୍ରାୟ ୩.୬ କିମି ଲମ୍ବ ତାରକୁ କେହି ଚୋରାଇ ନେଇଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟକୁ ନିର୍ମାଣ କରୁଥିବା ଲେସର ପାଓ୍ବାର ଆଣ୍ଡ୍ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଅଧିକାରୀ ଲକ୍ଷ୍ମୀଧର ଦାଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କର ଓଡିଏସ୍ଏସ୍ପି-୪ ଯୋଜନାରେ ଗଣ୍ଡଳା ଗ୍ରାମର ୩୩/୧୧ କେଭି ସବ୍ଷ୍ଟେଶନରୁ ଶାସନ ଆମ୍ବ ଗାଁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ବିଦ୍ୟୁତତାର ଟଣାଯାଇଥିଲା। ଗତ ୧୦ ତାରିଖରେ ନିମିଗାଁ ନିକଟରୁ ପ୍ରାୟ ୭ଶହ ମିଟର ତାର ଚୋରି ହୋଇଥିଲା। ପୁଣି ଥରେ ନିମେଶ୍ବର ମନ୍ଦିରଠାରୁ ଶାସନ ଆମ୍ବ ଗାଁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୨.୯ କିମି ବିଦ୍ୟୁତତାର ଚୋରି ହୋଇଛି। ଉକ୍ତ ତାର ଟଣା ଯାଇଥିଲେ ମଧ୍ୟ ବିଦ୍ୟୁତ ସରବରାହ ହୋଇ ନ ଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଏହି ତାରକୁ କାଟି ନେଇଛନ୍ତି। ଚୋରି ତାରର ମୂଲ୍ୟ ୭ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟ ହେବ ବୋଲି ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ଥାନାରେ କେସ୍ ନଂ ୯୩୬/୨୪ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ଘଟଣା ପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ସ୍ଥାନୀୟ ସହରବାସୀଙ୍କ ପକ୍ଷରୁ ଏକ ବିରାଟ ଜନଆନ୍ଦୋଳନ ଗଢି ଉଠିବ, ଏଥିରେ ନିଃସନ୍ଦେହ।