ସରିବାକୁ ବସିଲାଣି ଶିକ୍ଷା ବର୍ଷ, ଏଯାଏଁ ମିଳିନି ସ୍କୁଲ ପୋଷାକ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶିକ୍ଷା ବର୍ଷ ଶେଷ ହେବା ଲାଗି ଆଉ କେଈଟା ମାତ୍ର ମାସ ବାକି ରହିଛି। ହେଲେ ଏପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଙ୍କୁ ମିଳିନାହିଁ ସ୍କୁଲ ପୋଷାକ। ଫଳରେ ଛାତ୍ରଛାତ୍ରୀ ମାନେ ଚିରାଫଟା ଡ୍ରେସ ପିନ୍ଧି ବିଦ୍ୟାଳୟ କୁ ଆସୁଥିବା ଦେଖିବାକୁ ମିଳୁଛି। ଶେରଗଡ ବ୍ଲକ ରେ ଏପର୍ୟ୍ୟନ୍ତ ୩୧ ଟି ବିଦ୍ୟାଳୟରେ ଡ୍ରେସ ମିଳିନାହିଁ। ୯୧୩୭ ଛାତ୍ରଛାତ୍ରୀ ଡ୍ରେସ ପାଈବାରୁ ବଞ୍ଚିତ ହୋଈଛନ୍ତି। ସୂଚନା ମୁତାବକ, ସରକାରଙ୍କ ସମଗ୍ର ଶିକ୍ଷା ଗଙ୍ଗାଧର ମେହେର ଶିକ୍ଷା ମାନବୃଦ୍ଧି ଯୋଜନା ମୂଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବର୍ଷ କୁ ଦୁଇ ହଳ ପୋଷାକ, ହଳେ ଜୋତା, ଦୁଇ ହଳ ମୋଜା, ଗୋଟିଏ ଟିସାର୍ଟ,ଗୋଟିଏ ଟ୍ରାକ ପ୍ୟାଣ୍ଟ, ଗୋଟିଏ ଟୋପି ଏବଂ ପରିଚୟ ପତ୍ର ପ୍ରଦାନ ର ବ୍ୟବସ୍ଥା ରହିଛି। ପ୍ରତି ପିଲାଙ୍କ ବାବଦରେ ସରକାର ଏକ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏହି ଯୋଜନା ରେ ସ୍କୁଲ ପରିଚାଳନା ସମିତି ମାଧ୍ୟମରେ ସମସ୍ତ ସାମଗ୍ରୀ କିଣାଯାଈ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ସାମଗ୍ରୀ ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ରହିଛି। କିନ୍ତୁ ଆଜି ପର୍ୟ୍ୟନ୍ତ ପିଲା ଙ୍କୁ ମିଳିଲାନି ଡ୍ରେସ। ଶେରଗଡ ବ୍ଲକ ରେ ୭୫ ଟି ପ୍ରାଥମିକ ବିଦ୍ୟାଳୟ,୩୪ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୧୬ ଟି ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୧୪୪୨୭ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ନବମ ଓ ଦଶମ ରେ ୩୭୫୩ ଜଣ ଙ୍କୁ ମିଶାଇ ମୋଟ ୧୮୧୮୦ ଛାତ୍ରଛାତ୍ରୀ ପଢୁଛନ୍ତି। ବ୍ଲକର ୭ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ପୋଷାକ ଦାୟିତ୍ୱ ଦିଆଯାଇଛି। ଶିକ୍ଷା ବର୍ଷ ଆରମ୍ଭ ରୁ ଜୁଲାଇ ରୁ ଅଗଷ୍ଟ ମାସ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଡ୍ରେସ ଯୋଗାଇ ଦେବାର ନିୟମ ରହିଥିବା ବେଳେ ଚଳିତ ବର୍ଷ ଏପର୍ୟ୍ୟନ୍ତ କୌଣସି ବିଦ୍ୟାଳୟ କୁ ସମ୍ପୂର୍ଣ୍ଣ ଅନୁଦାନ ଆସିନାହିଁ। ବ୍ଲକର ୧୨୭ ଟି ବିଦ୍ୟାଳୟର ୧୮୧୮୦ ଜଣ ଛାତ୍ରଛାତ୍ରୀ ଙ୍କୁ ଗୋଟିଏ କିମ୍ବା ଦୁଇ ହଳ ଡ୍ରେସ ମିଳିଥିବା ବେଳେ ଏବେବି ବ୍ଲକର ୩୧ ଟି ବିଦ୍ୟାଳୟର ୯୧୩୭ ଛାତ୍ରଛାତ୍ରୀ ଡ୍ରେସ ପାଈବାରୁ ବଞ୍ଚିତ ହୋଈଛନ୍ତି। ଅନ୍ୟ କୌଣସି ସାମଗ୍ରୀ ମଧ୍ୟ ମିଳିନି। ସ୍ବାଧୀନତା ଦିବସ ବା ଗଣେଶ ପୂଜା ପୂର୍ବରୁ ଏହି ଡ୍ରେସ ମିଳିବାର ନିୟମ ରହିଥିବା ବେଳେ ଏପରିକି ଡ୍ରେସ ମିଳିନାହିଁ। ଏଣୁ କିଛି ଛାତ୍ରଛାତ୍ରୀ ଚିରାଫଟା ଡ୍ରେସ ପିନ୍ଧି ଯାଉଥିବା ଅଭିଯୋଗ ହେଉଛି। ଏନେଇ ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ପାଢ଼ୀ ଙ୍କୁ ପଚରାଯିବାରୁ ସେ ପ୍ରକାଶ କରିଛନ୍ତି ଯେ,ବର୍ତ୍ତମାନ ଆମ ପାଖରେ ଅର୍ଥ ପହଞ୍ଚିଛି। କିଛି ସ୍କୁଲରେ ଗୋଟିଏ ହଳ ତ ଆଉ କିଛି ସ୍କୁଲରେ ଦୁଇ ହଳ ଡ୍ରେସ ପ୍ରଦାନ କରାଯାଇଛି। ଫଳରେ ସମସ୍ୟା ସୃଷ୍ଟି ହୋଈଛି। ପର୍ୟ୍ୟାୟକ୍ରମେ ସମସ୍ତ ବିଦ୍ୟାଳୟ କୁ ଡ୍ରେସ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଏଣୁ ଏହି ଦିଗ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ସମସ୍ତ ବିଦ୍ୟାଳୟରେ ପୋଷାକ ବଣ୍ଟନ ର ସୁଷମ ବ୍ୟବସ୍ଥା କରିବାକୁ ଦାବି ହେଉଛି।