ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ହାଟଡ଼ିହି, (ବିକାଶ ବିଶ୍ୱାଳ):ମଙ୍ଗଳବାର ପୂର୍ବାହ୍ନରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ହାଟଡ଼ିହି ବ୍ଲକ ଅଧିନସ୍ଥ ହଦଗଡ଼ ଡ୍ୟାମ ଓ ଗଡ଼ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି । ହଦଗଡ଼ ଡ୍ୟାମ ଏକ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏଠାରେ ଇକୋ ଟୁରିଜିମ୍ ପ୍ରକଳ୍ପ ହେବାକୁ ଗତ ସରକାର ସମୟରେ ଘୋଷଣା କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯକାରୀ କରା ଯାଉନଥିବା ବେଳେ ଆଜି ଜିଲ୍ଲାପାଳ ଏହି ସ୍ଥାନ ପରିଦର୍ଶନ କରି କିପରି ଏହି କାର୍ଯ୍ୟ ଅତିଶିଘ୍ର ଆଗେଇବ ତାହା ଉପରେ ଆଲୋଚନା କରିଥିଲେ। ବିଶେଷ କରି ବନ ବିଭାଗ ଏହି କାର୍ଯ୍ଯ କରିବାକୁ ଥିବାବେଳେ ଆନନ୍ଦପୁର ଡ଼ିଏଫଓ ଅଭୟ କୁମାର ଦଳେଇଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ସେହିପରି ଗଡଚଣ୍ଡି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସରକାର ଯୋଗାଇ ଦେଇଥିବା ଅନୁଦାନରେ ବନ ବିଭାଗ କିପରି ସୁଚାରୁରୂପେ କାର୍ଯ୍ଯ ସମ୍ପାଦନ କରିବ ସେନେଇ ଆଲୋଚନା କରିଥିଲେ। ତାଙ୍କ ସହିତ ହାଟଡ଼ିହି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ହାଟଡ଼ିହିର ଭାରପ୍ରାପ୍ତ ତହସିଲଦାର ମନୋଜ କେରକେଟ୍ଟା, ହଦଗଡ଼ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେହିପରି କିମ୍ବଦନ୍ତୀପୂର୍ଣ୍ଣ ମା’ ଗଡ଼ଚଣ୍ଡୀ ମନ୍ଦିରର ପାରିପାର୍ଶ୍ଵିକ ପରିବେଶରେ କିଭଳି ବିକାଶ ହେବ ସେନେଇ ଜମ୍ଭିରା ସରପଞ୍ଚଙ୍କ ପ୍ରତିନିଧି ଖଗେଶ୍ୱର ମଲ୍ଲିକ ଓ ପନ୍ଦାଡୋ ସରପଞ୍ଚଙ୍କ ପ୍ରତିନିଧି ନିକୁଞ୍ଜ ବିହାରୀ ଓଝାଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଗଡ଼ଚଣ୍ଡୀ ମନ୍ଦିରର ଉନ୍ନତିକରଣ ପାଇଁ ମନ୍ଦିର କମିଟି ପକ୍ଷରୁ ୨୦ଟି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି ।ଏହି ସମୟରେ ଆନନ୍ଦପୁର ବିଦ୍ୟାଧରପୁର ବିଭାଜନ ଜଳସମ୍ପଦ ଏସଡ଼ିଓ, ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁ, ବନପାଳ ମଳୟ ସାହୁଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ଜେନା, ମଦନମୋହନ ବେହେରା ଏବଂ ଏପିଓ ଭୈରବେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।