ଅଦିନିଆ ବର୍ଷାରେ ଫସଲ ହାନି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଲଘୁରୂପ ଜନିତ ଲଗାଣ ବର୍ଷାଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ପ୍ରଭାବିତ ହୋଇଛି । ଏହି ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ ଫସଲ ନଷ୍ଟ ହେବା ସହିତ ପନିପରିବା ଚାଷ ଉଜୁଡ଼ି ଯାଇଛି । ଏହି ବର୍ଷା ଯୋଗୁଁ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦ୍ରାପଡା, ଡେରାବିଶ,ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର ବ୍ଲକ ସମେତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଧାନ, କୋବି, କଖାରୁ, ବିନ୍‌, ଟମାଟୋ, ବାଇଗଣ, କାକୁଡି, ଶାଗ ଇତ୍ୟାଦି ସବୁ ପନିପରିବା ନଷ୍ଟ ହୋଇଯାଇଛି । ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଉଛି ସରକାରଙ୍କ କୃଷି ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଋଷୀ ମାନଙ୍କୁ ଆଗୁଆ ସୂଚନା ଦେଇ ସତର୍କ କରାଗଲା ନାହିଁ । ଆଗୁଆ ସୂଚନା ଦେଇ ଋଷୀମାନଙ୍କୁ ସତର୍କ କରିବା କ୍ଷେତ୍ରରେ ସରକାର ସଂପୂର୍ଣ ବିଫଳ ହୋଇଛନ୍ତି । ତା ପରେ ଦ୍ୱିତୀୟ ଥର ପାଇଁ ପୁଣି ଲଘୁଚାପ ଆରମ୍ଭ ହେଇ ଯାଇଛି । ଚାଷୀ ଅମଳ ହେଇଥିବା ଫସଲକୁ ଉଠିଆ କରିବା ପାଇଁ ରାତି ସାରା ଜମିରେ ରହିଥିବାର ଖବରମାନ ଆସୁଛି । ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଅଦିନିଆ ବର୍ଷା ଏବଂ ପ୍ରତିକୂଳ ପାଗରେ ପୋକ ଆକ୍ରମଣ ଯୋଗୁଁ ଅମଳ ହେବାକୁ ଥିବା ସବୁ ପରିବା ନଷ୍ଟ ହୋଇଯାଇଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଅବିଳମ୍ବେ କ୍ଷତି ହୋଇଥିବା ଫସଲର ଆକଳନ କରି ଚାଷୀ ଏବଂ ଭାଗଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଓଡିଶା କୃଷକସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଜଳବାୟୁର ପରିବର୍ତ୍ତନ ଯୋଗୁଁ କ୍ରମାଗତ ଭାବେ କ୍ଷତି ସହୁଥିବାରୁ ଚାଷୀମାନଙ୍କ ମଧ୍ୟରେ ହତାଶ ଭାବ ଦେଖାଦେଇଛି । ସେହି ଦୃଷ୍ଟିରୁ ଚାଷୀର ସମସ୍ତ କ୍ଷତିକୁ ସରକାର ଭରଣା କରିବା ସହିତ ଚାଷୀ କରିଥିବା ଋଣକୁ ସଂପୂର୍ଣ ଛାଡ଼ କରିବା ପାଇଁ ଓଡିଶା କୃଷକସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ଗୟାଧର ଧଳ, ସମ୍ପାଦକ ବିଜୟ ଦାସ, ବରିଷ୍ଠ ନେତା ଜଗତ ଜୀବନ ଦାଶ,ମହାକାଳପଡ଼ା ନେତା ନରୋତ୍ତମ ପାର୍ଥସାରଥୀ, ମାଧବ ଦାସ, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ରମେଶ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ ପ୍ରମୁଖ ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଅଶୋକ କୁମାର ଦାଶଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ କ୍ଷତିର ଭରଣା ନହେଲେ ସଂଗଠନ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ