ନିମ୍ନମାନର ରାସ୍ତାକାର୍ଯ୍ୟକୁ ନେଇ ନୂଆଗାଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଅଧିନସ୍ଥ ବିଦ୍ୟାଧରପୁର ଠାରୁ କାନପୁର ଯାଏଁ ନିର୍ମାଣଧିନ ପିଚୁ ରାସ୍ତାକାର୍ଯ୍ୟ ନିମ୍ନମାନର ହେଉଥିବାରୁ ନୂଆଗାଁ ଗ୍ରାମବାସୀ ଅଭିଯୋଗ କରିବା ସହ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟରତ ଠିକାଦାର ରାସ୍ତାର ନବୀକରଣ ନିମନ୍ତେ ଦୀର୍ଘ ୧ବର୍ଷ ଧରି ଏହି ପୁରୁଣା ରାସ୍ତାକୁ ଖୋଳି ପକାଇ ରଖିବାରୁ ଅଞ୍ଚଳବାସୀଙ୍କୁ ଧୂଳିଧୂଆଁ, ପାଣିକାଦୁଅରେ ଛଟପଟ ହେବା ସହ ରାସ୍ତାରେ ଯାଉଥିବା ଶହ ଶହ ଛାତ୍ରଛାତ୍ରୀ ନାହିଁ ନଥିବା ହଇରାଣ ହୋଇଛନ୍ତି। ଅନେକ ସମୟରେ ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଥିଲେ। ଦୀର୍ଘଦିନ ପରେ ଭଲ ରାସ୍ତାଟିଏ ପାଇବାକୁ ଅଞ୍ଚଳବାସୀ ଆଶା ବାନ୍ଧିଥିବା ବେଳେ ସେମାନଙ୍କ ଆଶା ଆଶାରେ ରହିଯାଇଛି। ସମ୍ପୃକ୍ତ ଠିକାଦାର ଦୀର୍ଘଦିନ ଧରି ରାସ୍ତାକୁ ଅଧାପନ୍ତରିଆ କରି ପକାଇବା ପରେ ଗତକାଲି ଠାରୁ ପୁଣି କାମ ଆରମ୍ଭ କରିଛନ୍ତି। ରାସ୍ତାର ପିଚୁ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ରାସ୍ତାରୁ ପିଚୁ ମିଶା ଛୋଟ ଛୋଟ ଚିପ୍ସ ଉଠିଯିବାରୁ ରାସ୍ତାର ସ୍ଥାୟୀତ୍ବ ନେଇ ସନ୍ଦେହ ପ୍ରକାଶ ପାଇଛି। ଏନେଇ ଗ୍ରାମବାସୀ ମାନେ ଅଭିଯୋଗ ନିମନ୍ତେ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ଯନ୍ତ୍ରୀ ସେମାନଙ୍କର ଫୋନ ଗ୍ରହଣ ନକରିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରୁ, ପୁରୁଣା ରାସ୍ତା ସହ ନୂତନ ପିଚୁ ମିଶିବାକୁ ପ୍ରାୟ ୩ଦିନ ସମୟ ଲାଗେ ଏଣୁ ନୂତନ ପିଚୁ ହୋଇଥିବା କାର୍ଯ୍ୟରୁ ଛୋଟ ଛୋଟ ଚିପ୍ସ ଉଠିବା ସ୍ୱାଭାବିକ ବୋଲି କହିବା ସହିତ ଯଦି ନିର୍ମାଣରେ କୌଣସି ତୃଟି କିମ୍ବା ନିମ୍ନମାନ ପରିଲକ୍ଷିତ ହୁଏ ତେବେ ତାହାର ପୁନଃନିର୍ମାଣ କରାଯିବ ବୋଲି କହିଥିଲେ । ଏଥିସହ ନୂଆଗାଁ ଛକରେ ହୋଇଥିବା ଏକ କର୍ଲଭର୍ଟ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ନୂଆଗାଁ ଗ୍ରାମର ରାମଚନ୍ଦ୍ର ନାୟକ, ହୃଷିକେଶ ମହାନ୍ତି, ଦୟାନିଧି ମୁଦୁଲି, ଲକ୍ଷ୍ମୀକାନ୍ତ ରାଉତ, ପ୍ରଦୀପ ରାଉତ, ସୁରେନ୍ଦ୍ର ରାଉତ, ବସନ୍ତ ପଣ୍ଡା, ଅଶୋକ ପଣ୍ଡା, ଗୟାଧର ଦେହୁରୀ, ବସନ୍ତ ପଲେଇ, ସଞ୍ଜୟ ନାୟକ, ପରମାନନ୍ଦ ନାୟକ, ନିରଞ୍ଜନ ରାଉତ, ଅଶୋକ ମୁଦୁଲି, ଚନ୍ଦନ କୁମାର ଭୂଇଁୟା, ବୃନ୍ଦାବନ ନାୟକ, ଅନନ୍ତ ମୁଦୁଲି, ପିତାମ୍ବର ପଣ୍ଡା, କୈଳାସ ଚନ୍ଦ୍ର ପଣ୍ଡା, ଅନନ୍ତ ପଣ୍ଡା, ଛବିରାଣୀ ନାଇକ, ଘନଶ୍ୟାମ ସେଠୀ, ରଞ୍ଜିତା ଦେହୁରୀ, ବାସନ୍ତୀ ନାଏକ, ପଦ୍ମାବତୀ ନାଏକ ପ୍ରମୁଖ ଅଭିଯୋଗ ଆଣିବା ସହ ଉକ୍ତ ରାସ୍ତାର ପିଚୁ କାର୍ଯ୍ୟକୁ ଉତ୍ତମ ଭାବେ ପୁନଃ ନିର୍ମାଣ କରିବାକୁ ଦାବି କରିଛନ୍ତି । ରାସ୍ତାର ନବୀକରଣ କାର୍ଯ୍ୟରେ ସୁବ୍ୟବସ୍ଥା ନହେଲେ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ କଡ଼ା ଚେତାବନୀ ଦେଇଛନ୍ତି ।


