ଇସ୍ରାଏଲ-ହମାସ ଯୁଦ୍ଧବିରତି
ଦୀର୍ଘ ୧୫ମାସର ଘମାଘୋଟ ଲଢେଇ ପରେ ଇସ୍ରାଏଲ-ହମାସ ମଧ୍ୟରେ ଗାଜାରେ ଯୁଦ୍ଧ ବିରତି ପାଇଁ ରାଜିନାମା ନିଶ୍ଚିତ ଭାବେ ନୂତନ ବର୍ଷ ୨୦୨୫ରେ ଏକ ସ୍ୱାଗତଯୋଗ୍ୟ ଘଟଣା । ଏହି ଲଢେଇରେ ଗାଜା ଶ୍ରୀହୀନ ହୋଇପଡିଥିବାବେଳେ ମିଲିଅନ ମିଲିଅନ ପାଇଁ କେବଳ ଯନ୍ତ୍ରଣା ଆଣିଦେଇନାହିଁ, ମଧ୍ୟପ୍ରାଚ୍ୟରେ ଉତେଜନା ଏବଂ ଅଶାନ୍ତିର କାରଣ ପାଲଟିଥିଲା । ଯୁକ୍ତରାଷ୍ଟ୍ର ଆମେରିକା, କ୍ୱାତରର ମଧ୍ୟସ୍ଥିତା ଯୁଦ୍ଧବିରତି ପାଇଁ ଉଭୟ ପକ୍ଷଙ୍କୁ ଉତ୍ସାହିତ କରିଥିବା ସତ୍ୱେ ଏବେ ବି ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯାହାକି ପ୍ରହେଳିକା ସଦୃଶ ବୋଲି କୁହାଯାଇପାରେ । ଯୁଦ୍ଧ ବିରତିର ସର୍ତ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଯୁଦ୍ଦବିରତି ୬ମାସ ପର୍ଯ୍ୟନ୍ତ ବଳବତର ରହିବ । ଏହି ସମୟସୀମା ମଧ୍ୟରେ ହମାସ ଇସ୍ରାଏଲର ପଣବନ୍ଦୀମାନଙ୍କୁ ଖଲାସ କରିବ । ସେହିପରି ଇସ୍ରାଏଲ ପଣବନ୍ଦୀ ରଖିଥିବା ହମାସ ସଦସ୍ୟମାନଙ୍କୁ ମୁକ୍ତ କରିବ । ସେହିପରି ପିଡିତଙ୍କୁ ମାନବୀୟ ସହାୟତା ପ୍ରଦାନ କରିବା ସହ ଶରଣାର୍ଥୀ ଭାବେ ରହିଥିବା ବିସ୍ତାପିତ ପାଲେଷ୍ଟାଇନୀମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତନ କରିବେ । ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲର ନୃଶଂସ ସାମରିକ କାର୍ଯ୍ୟାନୁଷ୍ଠାନରେ ନିୟୁତ ନିୟୁତ ଲୋକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏପରିକି ଗାଜାର ସମସ୍ତ ପ୍ରବେଶ ପଥକୁ ଇସ୍ରାଏଲ ସେନା ସିଲ୍ କରିବା ଯୋଗୁଁ ଜାତିସଂଘ ସମେତ ବିଶ୍ୱର ବହୁ ରାଷ୍ଟ୍ର ଦେଉଥିବା ମାନବିକ ସହାୟତା ସ୍ୱରୁପ ରିଲିଫ ସାମଗ୍ରୀ ସେମାନଙ୍କ ନିକଟରେ ପହଁଚିପାରୁ ନାହିଁ । କେବଳ ଏତିକି ନୁହେଁ ରିଲିଫ ସାମଗ୍ରୀ ପାଇଁ ଅପେକ୍ଷା କରି ରହିଥିବା ବିଭୁକ୍ଷୁ ଲୋକଙ୍କ ଉପରେ ଇସ୍ରାଏଲ ସେନାର ବୋମାମାଡରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ହମାସ-ଇସ୍ରାଏଲ ଲଢେଇରେ ବର୍ତମାନ ସୁଦ୍ଧା ଗାଜାରେ ୪୬ ହଜାରରୁ ଉର୍ଦ୍ଧ୍ୱ ଲୋକମୃତ୍ୟୁ ବରଣ କରିଥିବାବେଳେ ଲକ୍ଷ ଲକ୍ଷ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ଇସ୍ରାଏଲର ଗାଜା ଘେରାବନ୍ଦୀ ଯୋଗୁଁ ଖାଦ୍ୟ, ଜଳ, ଔଷଧର ଅଭାବ ଆହତ ଓ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି । କେବଳ ଏତିକି ନୁହେଁ, ଇସ୍ରାଏଲର ଆଖିବୁଜା ବୋମା ଓ କ୍ଷେପାଣାସ୍ତ୍ର ମାଡରେ ଗାଜାର ସ୍କୁଲ, କଲେଜ, ବାସଗୃହ, ହସ୍ପିଟାଲ କେବଳ କ୍ଷତିଗ୍ରସ୍ତ ହୋଇନାହିଁ, ଏକ ପ୍ରକାର ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଏହାର ପୁନଃ ନିର୍ମାଣ ପାଇଁ ବର୍ଷ ବର୍ଷ ଲାଗିଯିବ । ଏଥିପାଇଁ ଜାତିସଂଘ ସମେତ ବିଶ୍ୱ ସମୁଦାୟ ସହାୟତା କରିବା ଜରୁରୀ, ଯାହାକି ଗାଜା, ପାଲେଷ୍ଟାଇନର ପିଡିତଙ୍କ ପାଇଁ ଯଥାର୍ଥ ନ୍ୟାୟା ହେବ । କିନ୍ତୁ ଯୁଦ୍ଧ ବିରତି ଘୋଷଣା ସତ୍ୱେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିବା ଏହାର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇସ୍ରାଏଲର ରାତି ଅଧିଆ ଆକ୍ରମଣରେ ୮୬ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁମାନଙ୍କ ମଧ୍ୟରେ ୨୩ଜଣ ଶିଶୁ ଓ ୨୭ଜଣ ମହିଳା ଅଛନ୍ତି । ସେହିପରି କେବଳ ଗୋଟିଏ କିମ୍ବା ଦୁଇଟି ସ୍ଥାନ ନୁହେଁ, ଏକକାଳୀନ ୫୦ଟି ସ୍ଥାନରେ ଇସ୍ରାଏଲ ସେନା ଅସ୍ତ୍ରବିରତି ଘୋଷଣା ସତ୍ୱେ ଆକ୍ରମଣ କରିବା ନିଶ୍ଚିତ ଭାବେ ଉଦ୍ବେଗଜନକ । ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୩ ଅକ୍ଟୋବର ୭ତାରିଖରୁ ଲାଗିରହିଥିବା ଯୁଦ୍ଧ କେବଳ ଗାଜାକୁ ଧ୍ୱଂସ ସ୍ତୁପରେ ପରିଣତ କରିନାହିଁ । ଇସ୍ରାଏଲର ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୧୨୦୦ ଉର୍ଦ୍ଧ୍ୱ ନାଗରିକ ପ୍ରାଣ ହରାଇଛନ୍ତି । ହମାସ ଆକ୍ରମଣରେ ହଜାର ହଜାର ଇସ୍ରାଏଲର ଆହତ ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି, ପଶ୍ଚିମ ଏସିଆରେ ଅଶାନ୍ତି, ଉତେଜନା । ଏପରିକି ଯୁଦ୍ଧର କଳାବାଦଲ ମଧ୍ୟ ଘୋଟି ଆସିଥିଲା । ଇସ୍ରାଏଲ ଆକ୍ରମଣରେ ଲେବାନନ, ସମେତ କେତେକ ପଶ୍ଚିମ ଏସୀୟ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁ ଧନଜୀବନ ହାନୀ ଘଟିଛି । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଯୁଦ୍ଧବିରତି ପଶ୍ଚିମ ଏସୀୟ ରାଷ୍ଟ୍ରରେ ଶାନ୍ତି ଫେରାଇ ଆଣିବ ସହ ପାଲେଷ୍ଟାଇନୀୟମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ । ଯୁଦ୍ଧ ବିରତିକୁ ଭାରତ, ଆମେରିକା, ବ୍ରିଟେନ ସମେତ ବହୁ ରାଷ୍ଟ୍ର ସ୍ୱାଗତ କରିଛନ୍ତି । କିନ୍ତୁ ଯୁଦ୍ଧ ବିରତିର ସ୍ଥାୟୀତ୍ୱ ଯେପରି ବଜାୟ ରୁହେ ଶାନ୍ତିପ୍ରତିଷ୍ଠା ହୁଏ ସେଥିପ୍ରତି ସଂପ୍ରତି ବିଶ୍ୱନେତାମାନେ ଧ୍ୟାନ ଦେବା ଆବଶ୍ୟକ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ


