ଶଙ୍କା ଓ ଆଶଙ୍କାରେ ଜନଗଣନା !

ଦେଶରେ ବିଳମ୍ବିତ ଜାତୀୟ ଜନଗଣନାର ଅନିଶ୍ଚିତତା ଉପରେ ଶଙ୍କା ଓ ଆଶଙ୍କା ଏବେ ବି ଲାଗିରହିଛି । ୨୦୨୧ର ଜନଗଣନା ୨୦୨୬ରେ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏ ନେଇ ନେଇ କୌଣସି ପ୍ରାରମ୍ଭିକ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ । ଏପରିକି କୋରୋନା ମହାମାରୀ(କୋଭିଡ-୧୯) ବହୁ ପଛରେ ରହିଗଲାଣି, ସବୁ ସମ୍ପୂର୍ଣ୍ଣ ହୋଇଗଲାଣି ଏବଂ ୨୦୨୪ ସାଧାରଣ ନିର୍ବାଚନ ଶେଷ ହେବାର ଛଅ ମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରମ କରିସାରିଲାଣି । କିନ୍ତୁ ଜନଗଣନା ଆରମ୍ଭ ନେଇ କୌଣସି ପ୍ରାକ୍ ସୂଚନା ଏପର୍ଯ୍ୟନ୍ତ ମିଳିଲା ନାହିଁ । କହିବା ବାହୁଲ୍ୟ ଯେ, ଗୋଟିଏ ଦେଶର ବିସ୍ତୃତ ଜନଗଣନା ରିପୋର୍ଟ ନୀତି ନିର୍ଦ୍ଧାରକମାନଙ୍କୁ ବିଭିନ୍ନ ଜନହିତକର ଯୋଜନା, କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ । ଜନଗଣନା ହେଉଛି ସମାଜ ଏବଂ ଅର୍ଥନୀତିର ଏକ ବିସ୍ତୃତ ପରିସଂଖ୍ୟାନ ସର୍ଭେ । ସେହିପରି ଏହା ମଧ୍ୟ ଏକ ବିଶ୍ୱାସଯୋଗ୍ୟ ତଥ୍ୟର ଏକ ବ୍ୟାପକ ଭଲ୍ୟୁମ ସୃଷ୍ଟି କରିଥାଏ । ଏହା ମଧ୍ୟ ନିସନ୍ଦେହ ଯେ, ଏହି ସମସ୍ତ ତଥ୍ୟ ବହୁସଂଖ୍ୟାନ କାରଣ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ଜନହିତକର ଯୋଜନା ପ୍ରଣୟନ, ସମସ୍ୟାଗୁଡିକର ଚିହ୍ନଟ କ୍ଷେତ୍ରରେ ସହାୟତା, ବିଭିନ୍ନ ଯୋଜନାର କାର୍ଯ୍ୟକାରିତାର ନକ୍ସା ପ୍ରସ୍ତୁତିରେ ମଧ୍ୟ ସହାୟକ ହୋଇଥାଏ । ଏହି ତଥ୍ୟ ସଂଗ୍ରହରେ ବିଳମ୍ବର ଅର୍ଥ ହେଉଛି ପୁରୁଣା ନକ୍ସା ଉପରେ ସରକାରୀ କାର୍ଯ୍ୟକ୍ରମ ଏବଂ ତଥ୍ୟ ଅସଂଗତ । ପୁରୁଣା କାର୍ଯ୍ୟକ୍ରମ ସାଂପ୍ରତିକ ସମସ୍ୟାବଳୀକୁ ସମାଧାନ କରି ପାରିନଥାଏ । ଉଲ୍ଳେଖଯୋଗ୍ୟ ଯେ, ଦେଶରେ ବିଭିନ୍ନ ଜନହିତକର ଯୋଜନା, ନୀତି ପ୍ରଣୟନ ପାଇଁ ବ୍ରିଟିଶ ଶାସନ ଅମଳରୁ ୧୮୮୧ ମସିହାରୁ ପ୍ରତି ୧୦ବର୍ଷ ବ୍ୟବଧାନରେ ଜନଗଣନା ହୋଇଥିଲା । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ୨୦୨୧ରେ ଜନଗଣନା ହୋଇପାରିନଥିଲା । ଇତି ମଧ୍ୟରେ ୪ବର୍ଷ ଅତିକ୍ରମ ହୋଇଥିଲେ ମଧ୍ୟ ଦେଶରେ ଜନଗଣନା ହୋଇନାହିଁ କି ପ୍ରସ୍ତୁତ ମଧ୍ୟ ଆରମ୍ଭ ହୋଇନାହିଁ । କେବଳ ଭାରତ ନୁହେଁ, ମହାମାରୀ କୋରୋନା ଯୋଗୁଁ ୨୦୨୪ ମସିହା ଜୁନ ସୁଦ୍ଧା ବିଶ୍ୱର ୨୩୩ ରାଷ୍ଟ୍ର ମଧ୍ୟରୁ ୪୪ଟି ରାଷ୍ଟ୍ର ଜନଗଣନା କରିପାରିନାହାଁନ୍ତି । ଏହି ୪୪ଟି ରାଷ୍ଟ୍ରମଧ୍ୟରେ ଭାରତ ହେଉଛି ଅନ୍ୟତମ । ଅନ୍ୟପକ୍ଷରେ ୨୦୨୦ ମାର୍ଚ୍ଚ ପରେ ବିଶ୍ୱର ୧୪୩ଟି ରାଷ୍ଟ୍ରରେ ଜନଗଣନା ସମ୍ପନ୍ନ ହୋଇଛି । ତେବେ କୋରୋନା ମହାମାରୀ ପ୍ରଶମିତ ହେବା ପରେ ଏହି ରାଷ୍ଟ୍ରଗୁଡିକ ଜନଗଣନା ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଛନ୍ତି । ସେହିପରି ଯୁଦ୍ଧ, ଅର୍ଥନୈତିକି ସଂକଟ ଏବଂ ଆଭ୍ୟନ୍ତରୀଣ ଦଙ୍ଗା ଯୋଗୁଁ ୟେମେନ, ସିରିଆ, ଆଫଗାନସ୍ଥାନ, ମ୍ୟାଁମାର, ୟୁକ୍ରେନ, ଶ୍ରୀଲଙ୍କା ଏବଂ ସହାରା ଆଫ୍ରିକାରେ ଜନଗଣନା ସ୍ଥଗିତ ରହିଛି । ଏହା ସତ୍ୟ ଯେ, ଦେଶରେ ଜାତିଭିତିକ ଜନଗଣନା ପାଇଁ ଦାବି ଯୋର ଧରିଥିବାବେଳେ ଜନଗଣନା ବିଳମ୍ବିତ ହେବାର କାରଣ ବୁଝାପଡୁନାହିଁ । ଗତ ସାଧାରଣ ନିର୍ବାଚନରେ ଜାତିଭିତିକ ଜନଗଣନା ପାଇଁ ରାଜନୈତିକ ଦଳଗୁଡିକ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୃତି ଦେଇଥିଲେ । ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ସମେତ ବହୁ ବିରୋଧ ଦଳ ଦାବି କରିଥିବା ବେଳେ କ୍ଷମତାସୀନ ବିଜେପି ଏନେଇ ନୀରବତା ଅବଲମ୍ବନ କରିଥିବା କୁହାଯାଇପାରେ । ବିହାରରେ ନୀତିଶ ସରକାର ରାଜ୍ୟରେ ଜାତିଭିତିକ ଜନଗଣନା ସମ୍ପନ୍ନ କରିଥିବାବେଳେ କେତେକ ବିରୋଧି ଦଳ ସରକାର ମଧ୍ୟ ଏହା କରିବାକୁ ଏବେ ବିଚାର ବିମର୍ଷ କରୁଥିବା ଜଣାଯାଏ । ଉଲ୍ଲେଖ କରାଯାଇପାରେ ଯେ, ଭାରତ ବିଶ୍ୱରେ ଏକ ବୃହତ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଥିବାବେଳେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସର ମୁଖ୍ୟ କାରଣ ମଧ୍ୟବିତ ଶ୍ରେଣୀର ସଂକୋଚନ ବୋଲି କୁହାଯାଇପାରେ । ଜନଗଣନାରୁ ହିଁ ଲୋକଙ୍କ ଆୟ, ପରିବାରର ସ୍ୱଚ୍ଛଳତା, ନିଯୁକ୍ତି, ବିଭିନ୍ନ ଜନହିତକର ଯୋଜନାର ସଫଳତା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିଥାଏ । ଦେଶରୁ ଦାରିଦ୍ର‌୍ୟ, କ୍ଷୁଧା ଦୂରିକରଣ କ୍ଷେତ୍ରରେ ଜନଗଣନା ତଥ୍ୟ ‘ଆଇନା’ ଭଳି କାର୍ଯ୍ୟ କରିଥାଏ । ତେଣୁ ଜନଗଣନାରେ ଆଉ ବେଶୀ ବିଳମ୍ବ ହେବା ଅନୁଚିତ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ