ଆସିକାରେ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
ଆସିକା, (ୱାଇଏନ୍ଏସ୍):ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରତିଷ୍ଠାନ ପରିଷଦ ଓଡିଶା, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣର ପରାମର୍ଶକ୍ରମେ ନବନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ପେଟିକା ୨୦୨୪-୨୫ ସକାଶେ ପ୍ରେରଣା ତାଲିମ୍ ଶିବିର ସୋମବାର ଠାରୁ ସ୍ଥାନୀୟ ଚିନିଶିଳ୍ପ ନୁଆଁଗାଁ ସ୍ଥିତ ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ଚିନିଶିଳ୍ପ ନୁଆଗାଁ ସ୍ଥିତ ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲ ପରିସରରେ ଆସିକାର ବିଭିନ୍ନ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା ୭୩ ଜଣ କନିଷ୍ଠ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସରେ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ, ବରିଷ୍ଠ ଶିକ୍ଷକ ଅମିତାଭ୍ ଖାଡଙ୍ଗା ପ୍ରମୁଖ ଯୋଗଦେଇ ଶିକ୍ଷାବିଭାଗ ପକ୍ଷରୁ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ ପାଇଁ ଆୟୋଜିତ ଏହି ପଞ୍ଚଦିବସୀୟ ପ୍ରେରଣା ତାଲିମ୍ ଶିବିର ସେମାନଙ୍କ ମନୋବଳ ବୃଦ୍ଧି ଓ ଦକ୍ଷତା ବିକାଶରେ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ବହୁ ଶିକ୍ଷଣୀୟ ସୂଚନା ପ୍ରଦାନ କରିଥିଲେ । ଆସିକା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରେରଣା ତାଲିମ୍ ଶିବିରରେ ପ୍ରଶିକ୍ଷକ ରୂପେ ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ଉଦ୍ଗାତା, ରଂଜନ କୁମାର ପାଣିଗ୍ରାହୀ, ଅମିତାଭ୍ ଖାଡଙ୍ଗା, ସିମାଂଚଳ ସେଠୀ, ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ଦିଗରେ ନବନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ସେମାନେ କାର୍ଯ୍ୟରତ ଥିବା ନିଜ ନିଜ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ନିୟମିତ ସୁନିଶ୍ଚିତ କରିବା ପାଇଁ ପ୍ରୟାସ, ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ନିଜର କାର୍ଯ୍ୟକୁ ସୁଚାରୂ ରୂପେ ସଂପାଦନ କରିବା ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ତାଲିମ୍ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ହରିଡାପଦର, ନିମିନା, କେନ୍ଦୁପଦର, ବାଲିସିରା, ଆସିକା ଏନ୍ଏସି ସଦର, ଖାରିଆ, ବାବନପୁର, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବଡଖୋଲି, ଭେଟନଇ,ନଳବଣ୍ଟା, କାଳଷଣ୍ଢପୁର କ୍ଳଷ୍ଟର ଅଧୀନସ୍ଥ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ କିଛି ଦିନ ତଳେ ନୂତନ ଭାବେ ନିଯୁକ୍ତି ପାଇଥିବା ୭୩ ଜଣ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରାଯାଉଥିଲା ବେଳେ ଏହି ପ୍ରଶିକ୍ଷଣ ଶିବିରକୁ ସୁପରିଚାଳନା କରିବା ଦିଗରେ ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସିମାଂଚଳ ସେଠୀ, ଜଲି ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି ।