ବିକଶିତ ଗାଁ -ବିକଶିତ ଓଡିଶା

ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଥିଲା ଗାଁ’ ବିକାଶ । ଏହା ନିସନ୍ଦେହ ଯେ, ଗାଁ’ର ବିକାଶ ବିନା ଦେଶର ବିକାଶ ଅସମ୍ଭବ । ଦେଶ ସ୍ୱାଧୀନ ହେବାର ୭୭ବର୍ଷ ଅତିକ୍ରମ କରିଥିଲେ, ଏହି ଲକ୍ଷ୍ୟ ଏବେ ବି ବହୁ ଦୂରରେ । ଅବଶ୍ୟ ଗ୍ରାମାଚଂଳର ବିକାଶ ଲାଗି ଏ ପର୍ଯ୍ୟନ୍ତ କେହି ଉଦ୍ୟମ କରିନାହାଁନ୍ତି, ଏଥିରେ କୌଣସି ଯୌକ୍ତିକତା ନାହିଁ ବୋଲି କୁହାଯାଇପାରେ । ଏଇଥିପାଇଁ ଲୋକେ ଗାଁ ଛାଡି ସହରମୁହାଁ । ଆମ ଦେଶରେ ୬୫ପ୍ରତିଶତ ହୋଇଥିବାବେଳେ ଆମ ରାଜ୍ୟ ୮୫ ପ୍ରତିଶତ ଗ୍ରାମ ରହିଛି । କହିବା ବାହୁଲ୍ୟ ଯେ, ଗାଁରେ ସ୍ୱାସ୍ଥ୍ୟ ସେବା ପାଇଁ ଭଲ ହସ୍‌ପିଟାଲଟିଏ ନାହିଁ ଭଲ ପାଠାଗାରଟିଏ ନାହିଁ । ସେହିପରି ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଅବସର ବିନୋଦନ ପାଇଁ ଭଲ ପାଠାଗାରଟିଏ ନାହିଁ । ରାସ୍ତାଘାଟ ଠାରୁ ଆରମ୍ଭ କରି ସବୁ କିଛି ଅବିକଶିତ ଅବସ୍ଥାରେ ରହିଛି । ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କାମଧନ୍ଦା ଚାକିରି ପାଇଁ ଗାଁ ଛାଡି ଛାତ୍ରଛାତ୍ରୀ, ଯୁବକ, ଶ୍ରମିକ ସମସ୍ତେ ଗାଁ ମୁହାଁ ହୋଇଛନ୍ତି । ରାଜ୍ୟ ସରକାର ଏବେ ଗାଁର ବିକାଶ ପାଇଁ ଫୋକସ ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିପଟ ମଫସଲ ଗାଁ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆରେ ବିକଶିତ ଗାଁ, ବିକଶିତ ଓଡିଶାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ସମାବଶେରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୬୦ହଜାର ଗ୍ରାମରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଏଥିଲାଗି ବାର୍ଷିକ ୧୦୦୦ କୋଟି ଟଙ୍କା ବ୍ୟୟ ହେବ । ଏଥିଲାଗି ପାଂଚ ବର୍ଷରେ ୫୦୦୦ କୋଟି ଟଙ୍କା ବ୍ୟୟ ହେବ । ଗାଁ ବିକାଶର ଇଞ୍ଜିନ ହେବ । ଗାଁର ରାସ୍ତାଘାଟ ସହ ସ୍ୱାସ୍ଥ୍ୟ ସେବା, ଗୋଷ୍ଠୀ ସମ୍ପତି, ଉପାସନା ପୀଠ, କ୍ରୀଡା ଭିତିଭୂମି, ଲୁକାୟିତ ଅବସ୍ଥାରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ସର୍ବସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନ, କଲ୍ୟାଣ ମଣ୍ଡପ, ଗୋଷ୍ଠୀ କେନ୍ଦ୍ର, ଗାଧୁଆ ଘାଟର ଉନ୍ନତି, ପରିଧାନ ପରିବର୍ତନ ପ୍ରକୋଷ୍ଠ, ମାର୍କେଟସେଡ, ପୂକାପାଠ ସ୍ଥାନ, ତୀର୍ଥ ଯାତ୍ରୀଙ୍କ ପାଇଁ ମୌଳିକ ସୁବିଧାର ବିକାଶ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଆଦିର ଉନ୍ନତି କରାଯିବ । ପ୍ରତ୍ୟେକ ପ୍ରକଳ୍ପ ପାଇଁ ୩ଲକ୍ଷ ଟଙ୍କା ବ୍ୟୟ ହେବ । ଗ୍ରାମସଭାକୁ ଗାଁ ବିକାଶର ଦାୟିତ୍ୱ ଦିଆଯିବ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଗ୍ରାମସଭା ଜରିଆରେ ବିକାଶର ନିଷ୍ପତି ନିଆଯିବ । କହିବା ବାହୁଲ୍ୟଯେ, ଗ୍ରାମସଭା କାହିଁ କେଉଁ ପୁରାକାଳରୁ ରହିଆସିଛି । ଗ୍ରାମସଭା ହେଉଛି, ଭାରତୀୟ ଗଣତନ୍ତ୍ରର ଜନ୍ମ ସ୍ଥାନ । ଗ୍ରାମରେ ଶାନ୍ତି ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ନିଷ୍ପତି ନେଇଥାଏ । ଏବେ ଗ୍ରାମସଭାକୁ ତ୍ୱରାନ୍ୱିତ କରି ଗ୍ରାମର ବିକାଶ ଦାୟିତ୍ୱ ଦେବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି କ୍ଷମତାସୀନ ଥିବା ନବୀନ ସରକାର ଗାଁ ଗହଳିରେ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଥିଲେ । ରାସ୍ତାଘାଟ ଠାରୁ ଆରମ୍ଭ କରି ବିଦ୍ୟାଳୟ, ଦେବାଳୟ, ଧାର୍ମିକ ପୀଠ, ପୋଖରୀ, ନାଳ, ଗାଡିଆ, ଗାଧେଇବା ଘାଟ ଆଦିର ପୁନରୁଦ୍ଧାର କରିଥିଲେ । ଏଥିଲାଗି ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟ ହୋଇଥିଲା । କିନ୍ତୁ ଏହା ନିସନ୍ଦେହ ଯେ, ପ୍ରକଳ୍ପର ଅର୍ଥ ବାଟମାରଣା ହୋଇଥିବା ବିଭିନ୍ନ ମହଲରେ ଅଭିଯୋଗର ସୁଅ ଛୁଟିଥିଲା । ନିମ୍ନମାନର କାମ ଯୋଗୁଁ ବର୍ଷେ ଦୁଇବର୍ଷ ପରେ ସେସବୁର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ତେବେ ଦୁର୍ନୀତି ଅଭିଯୋଗକୁ ନା ପ୍ରଶାସନ ନା ସରକାର କେହି ଗୁରୁତ୍ୱ ଦେଇନଥିଲେ । ପରିଣତି ସ୍ୱରୁପ ଅର୍ଥ କେବଳ ବାଟମାରଣା ହୋଇ ଥିଲା ବୋଲି ଏବେ ବି ଅଭିଯୋଗ ହେଉଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ୟାପକ ହରିଲୁଟ ଯୋଗୁଁ ବହୁ ପ୍ରକଳ୍ପ ଏବେ ବି ଅଧପନ୍ତରିଆ ହୋଇ ପଡିରହିଛି । ଆହୁରି ମଧ୍ୟ ରାଜ୍ୟ ସରକାର ପଲ୍ଲୀସଭା ଗଠନ କରିଥିଲେ । ପଲ୍ଲୀସଭା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ନିଷ୍ପତି ନେଉଥିଲା । କିନ୍ତୁ ଦୁଃଖର କଥା, ଶେଷରେ ବହୁ ଗ୍ରାମରେ ପଲ୍ଲୀସଭା କେବଳ ରଣକ୍ଷେତ୍ରରେ ପରିଣତ ହେବା ସାର ହୋଇଥିଲା । ବର୍ତମାନର ରାଜ୍ୟ ସରକାର ଗାଁର ବିକାଶ ପାଇଁ ବିକଶିତ ଗାଁ-ବିକଶିତ ଭାବେ ସ୍ୱାଗତଯୋଗ୍ୟ । ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଲେ, ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ସାକାର ରୂପ ନେବ, ଏହା ନିସନ୍ଦେହ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ