ଖଣି ଓ ପୋଲିସ ମିଳିତ ଚଢ଼ାଉ ପରିତ୍ୟକ୍ତ କ୍ରସର ହତାରୁ ଖଣିଜ ଚୋରି,ଗାଡ଼ି ଜବତ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଯୋଡ଼ା ସହର ଉପକଣ୍ଠ ସ୍ଥିତ ବେହେରା ହାଟିଂରେ ଥିବା ଏକ ପୁରୁଣା ପରିତ୍ୟକ୍ତ କ୍ରସର ହତାରୁ ବିପୁଳ ପରିମାଣର ଖଣିଜ ଚୋରି ହୋଇଯାଇଛି। ରବିବାର ରାତି ଯୋଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏହି ଅଞ୍ଚଳ ଉପରେ ତିକ୍ଷୀଣ ନଜର ରଖିଥିଲା। ସୋମବାର ବଡି ଭୋର ସମୟରେ ଏକ ଟ୍ରେଲର ସିଜି-୧୦ବିୟୁ-୭୭୯୧ ଚୋରା ଖଣିଜ ବୋଝେଇ କରୁଥିବା ସମୟରେଯୋଡ଼ା ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଅନ୍ଧକାରର ସୁଯୋଗ ନେଇ ସେଠାରେ ନିୟୋଜିତ ଥିବା ଖଣି ଚୋର ମାନେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ତେବେ ପୋଲିସ ଟ୍ରେଲର ଜବତ କରିଛି ଏବଂ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏକ ମୋବାଇଲ ଫୋନ ମଧ୍ୟ ଗାଡ଼ି ଭିତରୁ ଧରିଛି। ୨୦୦୮- ୦୯ ମସିହାରେ କ୍ରସରଟି ବନ୍ଦ ହୋଇ ଯାଇଥିଲା। ପରିତ୍ୟକ୍ତ ହୋଇ କ୍ରସରଟି ପଡ଼ି ରହିଥିବା ବେଳେ କ୍ରସର ହତାରେ ହଜାର ହଜାର ମେଟ୍ରିକ୍ ଟନ୍ ଉନ୍ନତମାନର ଲୁହାପଥର ଏଣେ ତେଣେ ଭାବେ ଗଦା ହୋଇ ପଡିରହିଛି। ଏହି କ୍ରସର ବନ୍ଦ ହେବା ବେଳେ କ୍ଲୋଜିଂ ବାଲାନସ ଖଣିଜର ପରିମାଣ ଖଣି ବିଭାଗକୁ ଦିଆ ଯାଇଥିଲା ବୋଲି ଖଣି ଅଧିକାରୀ ଦୀପକ କୁମାର ଧୁରୁଆ ଘଟଣାସ୍ଥଳରେ କହିଛନ୍ତି । ପୋଲିସ ଗାଡ଼ିଟିକୁ ଜବତ କରିବା ପରେ ଖଣି ବିଭାଗ ସଂଜ୍ଞାନ ନେଇଥିଲା ଏବଂ ମାଇନିଂ ଅଫିସରଙ୍କ ନେତୃତ୍ୱରେ ଏକ ଟିମ୍ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ ପଠାଇଥିଲେ। ଏହି ଅଞ୍ଚଳଟିକୁ ବନ ବିଭାଗ ଫରେଷ୍ଟ ଗାର୍ଡ ନିଲମ୍ ମହାନ୍ତ ସଦଳବଳେ ଯାଇ ଯାଞ୍ଚ କରିଥିଲେ । ଯୋଡ଼ା ଖଣି ମଣ୍ଡଳରେ ଥିବା ଏକାଧିକ ବନ୍ଦ ଓ ପରିତ୍ୟକ୍ତ କ୍ରସରରେ ପ୍ରାୟ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଖଣିଜ ଜମା ହୋଇ ରହିଛି। ସେହିପରି ରେଳ ସାଇଡିଂ ଗୁଡିକରେ ଓଡ଼ିଶା ସରକାରଙ୍କ ଖଣି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ମଧ୍ୟରେ ଥିବା ଅନ୍ତର୍ଦ୍ୱନ୍ଦ ଫଳରେ ହଜାର ହଜାର ଟନ୍ ଲୁହା ପଥର ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଯଦିଓ ଓଡ଼ିଶା ଖଣି ନିଗମ ଦ୍ଵାରା ବିଭାଗ କିଛି ଜବତ ଲୁହାପଥରକୁ ନିଲାମ କରି ବିକ୍ରି କରିଛି, ତେବେ ମଧ୍ୟ ବହୁ ପରିମାଣର ଲୁହାପଥର ସେଠାରେ ପଡ଼ି ରହିଛି ଏବଂ ଏହା ଉପରେ ଅନ୍ତରଜ୍ୟ ଖଣି ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏଥିରେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କର ସହଯୋଗ ଏବଂ ଅସାମାଜିକ ଯୁବକ ମାନଙ୍କର ସାହାଯ୍ୟ ରହିଛି। ଖଣି ଉପନିର୍ଦ୍ଦେଶକ ଅଗ୍ରୱାଲ କହିଛନ୍ତି ଯେ, ଏହିପରି ଦାବିଦାର ନ ଥିବା ଖଣିଜ ଏବଂ ପରିତ୍ୟକ୍ତ କ୍ରସରରେ ଲକ୍ଷ ଲକ୍ଷ ଟନ ଖଣିଜ ପଡ଼ିରହିଛି। ଲୋଜିଷ୍ଟିକ ସପୋର୍ଟ ଅଭାବ ହେତୁ ଏହି ଖଣିଜକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପାରୁନାହିଁ। ତଥାପି ଓଡ଼ିଶା ଖଣି ନିଗମ ସହିତ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ଓ ବେହେରା ହାଟିଂରେ ଥିବା କ୍ରସର ମାଲିକକୁ ଚିଠି କରାଯାଇ ଗଛିତ ଲୁହା ପଥରର ପରିମାଣ ସମ୍ପର୍କରେ ଜବାବ ତଲବ କରାଯିବ।


