ବାଲେଶ୍ୱରରୁ ଗଡ଼ିଲା ବର୍ଷର ପଞ୍ଚମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇ ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରାଯାଉଛି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି । ହିତାଧିକାରୀ ଚୟନ ନିମନ୍ତେ ଅନ୍ତ୍ୟୋଦୟ / ଅର୍ଣ୍ଣପୂର୍ଣ୍ଣ। କାର୍ଡ / ବିଧବା ଭତ୍ତା କାର୍ଡ / ଖାଦ୍ୟସୁରକ୍ଷା ରେସନ କାର୍ଡ / ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେ କୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡିଥାଏ । ଏହି ଯୋଜନା ଅନ୍ତର୍ଗତ ଆଜି ବାଲେଶ୍ୱର ରେଳ ଷ୍ଟେସନ ରୁ ଦିବା ଘ. ୧୨.୩୦ ମି ସମୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲ୍ଲାଗୁଡିକର ୨୫ ଜଣ ଏସ୍କର୍ଟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ରେଳ ଶିରିଡ଼ି-ନାଶିକ ତୀର୍ଥସ୍ଥାନକୁ ଯାତ୍ରା କରିଛି I ଏହି ତୀର୍ଥଯାତ୍ରା ନିମନ୍ତେ ଚୟନ ହୋଇଥିବା ଯାତ୍ରୀମାନେ ଗତ ୨୬ ତାରିଖରେ ଜିଲ୍ଲା ପ୍ରଶାସନମାନଙ୍କର ସହାୟତାରେ ବାଲେଶ୍ୱରର ପଦ୍ମାବତୀ ପାର୍କକୁ ଅପରାହ୍ନ ଘ. ୪ ଟା ସମୟରେ ଆସି ପହଞ୍ଚିବା ପରେ ସେଠାରେ ସେମାନଙ୍କର ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା I ସରକାରୀ ଭାବେ ସେମାନଙ୍କର ରହଣି, ଖାଦ୍ୟପାନୀୟ ଆଦିର ବ୍ୟବସ୍ଥା ସହ ଆମୋଦ ନିମନ୍ତେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା Iଆଜି ପ୍ରତ୍ୟୁଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ସେମାନଙ୍କୁ ରେଳ ଷ୍ଟେସନ ଅଣାଯାଇ ପାରମ୍ପରିକ ନୃତ୍ୟ ଗୀତ ଆଦି ମାଧ୍ୟମରେ ଷ୍ଟେସନ ପ୍ରବେଶ କରାଯାଇଥିଲା I ଆଇ.ଆର.ସି.ଟି.ସି. ତରଫରୁ ଫୁଲ, ଚନ୍ଦନ ଓ ମାଳା ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା I ପ୍ରବେଶ ସ୍ଥଳରେ ସେମାନଙ୍କୁ ଯାତ୍ରାର ଟିକେଟ୍ ଏବଂ ଆବଶ୍ୟକୀୟ ସାମଗ୍ରୀ ଥିବା କିଟ୍ ପ୍ରଦାନ କରାଯାଇଥିଲା I ଆଇ.ଆର.ସି.ଟି.ସି. ଦ୍ୱାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀମାନଙ୍କର ରହିବା, ଯିବା ଆସିବା, ଖାଦ୍ୟପାନୀୟରେ ବ୍ୟବସ୍ଥା ସହ ଗସ୍ତ ଜଗୁଆଳି, ପଥପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି I ଏହି ଯାତ୍ରା ନିମନ୍ତେ ବାଲେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟ୍ଫର୍ମରେ ଏକ ସଭାର ଆୟୋଜନ କରାଯାଇଥିଲା I ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନା ଅନ୍ତର୍ଗତ ସାଂସ୍କୃତିକ ତଥା ଧାର୍ମିକ ତୀର୍ଥକୁ ପ୍ରୋତ୍ସାହିତ କରିବାର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ତୀର୍ଥଯାତ୍ରାରେ ଅଂଶଗ୍ରହଣ କରିଥିବା ବରିଷ୍ଠ ନାଗରିକଙ୍କ କଲ୍ୟାଣ ଉପରେ ଏହାର ସକାରାତ୍ମକ ପ୍ରଭାବ ପକାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ଏହି ସଭାରେ ସମ୍ମାନିତ ଅତିଥିଭାବେ ମାନ୍ୟବର ବିଧାୟକ ଜଳେଶ୍ୱର ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ମାନ୍ୟବର ବିଧାୟକ ସିମୁଳିଆ ଶ୍ରୀ ପଦ୍ମଲୋଚନ ପଣ୍ଡା, ମାନ୍ୟବର ବିଧାୟକ ବାଲେଶ୍ୱର ସଦର ଶ୍ରୀ ମାନସ ଦତ୍ତ, ମାନ୍ୟବର ଅଧ୍ୟକ୍ଷ ଜିଲ୍ଲାପରିଷଦ ଶ୍ରୀ ନାରାୟଣ ପ୍ରଧାନ, ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବାଲମୁକୁନ୍ଦ ଭୂୟାଁ ପ୍ରମୁଖ ମଂଚାସୀନ ଥିଲେ I ପରିଶେଷରେ ନିମନ୍ତ୍ରିତ ଅତିଥିମାନେ ରିବନ୍ କାଟି ଯାତ୍ରାର ଶୁଭାରମ୍ଭ କରିବା ସହ ପତାକା ହଲାଇ ରେଳକୁ ଯାତ୍ରା ଅଭିମୁଖେ ପ୍ରେରଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ