ହାତୀ ପାଇଁ ଆତଙ୍କିତ ବସ୍ତି ବାସିନ୍ଦା ଘର ଭାଙ୍ଗିଲେ ସମସ୍ତଙ୍କୁ ମିଳୁନି କ୍ଷତିପୂରଣ
ବେତନଟୀ, (ଉଦିତ କୁମାର ପରିଡା ): ବେତନଟୀ ବନାଞ୍ଚଳରେ ବର୍ଷ ସାରା ହାତୀମାନଙ୍କର ଉପଦ୍ରଵ ଲାଗିରହୁଥିବା ବେଳେ ରବିବାର ଓ ସୋମବାର ଦିନ ଦୁଇଟି ଦନ୍ତା ସମେତ ଦଶଟି ହାତୀ ଏହି ବନାଞ୍ଚଳରେ ରହିଛନ୍ତି। ଏଥି ମଧ୍ୟରୁ ବଡାମପୁର ଜଙ୍ଗଲରେ ୮ଟି ଓ ଖିରିପଦା ଜଙ୍ଗଲରେ ଦୁଇଟି ଦନ୍ତା ହାତୀ ରହିଥିବାର ଜଣାପଡିଛି। ଏହି ହାତୀଗୁଡିକ ଦୁଇଟି ସ୍ଥାନରେ ରହିଥିଲେ ମଧ୍ୟ ବେତନଟୀ ବନାଞ୍ଚଳର ଅଧିକାଂଶ ଗ୍ରାମଗୁଡିକରେ ବିଚରଣ କରୁଛନ୍ତି। ଫଳରେ ଗ୍ରାମ ଓ ବସ୍ତି ବାସିନ୍ଦା ମାନେ ଆତଙ୍କିତ ହେବା ସହ ସେମାନଙ୍କର ଚାଷ ଜମି ଓ ଘର ଭାଙ୍ଗୁଥିବାର ପରିଲକ୍ଷିତ ହେଉଛି। ପ୍ରତିଦିନ ହାତୀଗୁଡିକ ଗୋଟିଏ ଜଙ୍ଗଲରୁ ବାହାରି ଅନ୍ୟ ଗୋଟେ ଜଙ୍ଗଲକୁ ପ୍ରବେଶ କରିଥିବା ବେଳେ ତାଙ୍କ ଚଲା ପଥରେ ଆସୁଥିବା ଗ୍ରାମ ଓ ବସ୍ତି ଗୁଡିକର ବହୁ ଚାଷ ଜମି ଓ ଘର ମଧ୍ୟ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଏହି ବର୍ଷ ମାର୍ଚ୍ଚ ୨୦୨୫ ମଧ୍ୟରେ ୧୨୦୦ରୁ ଉର୍ଦ୍ଧ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇବା ପାଇଁ ବେତନଟୀ ବନାଞ୍ଚଳ କାର୍ଯ୍ୟାଳୟରେ ଦରଖାସ୍ତ କରିଥିବା ବେଳେ ପ୍ରାୟ ଶତାଧିକ ଘର ଭାଙ୍ଗିଥିବା ନେଇ ଘରଭଙ୍ଗା କ୍ଷତିପୂରଣ ପାଇଁ ଦରଖାସ୍ତ ହୋଇଅଛି। ସରକାରଙ୍କ ପାଖରେ ଏହି କ୍ଷତି ପୂରଣ ଆବେଦନ କରିଥିବା ହିତାଧିକାରୀଙ୍କୁ ଛାଡି ସରକାରୀ କ୍ଷତିପୂରଣରୁ ବହୁ କ୍ଷତିଗ୍ରସ୍ତ ବଞ୍ଚିତ ହେଉଛନ୍ତି। ଏହି ବନାଞ୍ଚଳରେ ବହୁ ବସ୍ତି ବାସିନ୍ଦା ନିଜ ଘରର ଜମିପଟ୍ଟା ନଥିବା ବେଳେ ସରକାରୀ ଜାଗା ଓ ବିଭିନ୍ନ ସରକାରୀ କିସମ ଜମି ଉପରେ ଘର କରି ରହୁଥିବା ବେଳେ ସେମାନଙ୍କୁ ଘର ଭଙ୍ଗା କ୍ଷତି ପୂରଣ ବନ ବିଭାଗରୁ ମିଳିପାରୁନଥିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ଗୋଟିଏ ଘରକୁ ହାତୀ ସମ୍ପୂର୍ଣ୍ଣ ଭାଙ୍ଗିବା କ୍ଷତିପୂରଣ ବାବଦକୁ ୨୦ହଜାର ଟଙ୍କା ଦେଉଥିବା ବେଳେ ଆଂଶିକ ଭାଙ୍ଗିଲେ ୧୦ହଜାର ଟଙ୍କା ଦେଉଛନ୍ତି। ସେହିପରି ଚାଷ ଜମିପାଇଁ ମଧ୍ୟ ଏକର କୁ ୨୦ହଜାର ଟଙ୍କା କ୍ଷତି ପୂରଣ ଦିଆଯାଉଥିବା ବେଳେ ବହୁତ ଗରିବ ଲୋକ ସେମାନଙ୍କ ଜମିପଟ୍ଟା ନଥିବାରୁ ଏହି ସୁବିଧାରୁ ସେମାନେ ବଞ୍ଚିତ ହେଉଛନ୍ତି। ଅନ୍ୟ ପକ୍ଷରେ ଚାଷୀମାନଙ୍କର ଏକରକୁ କ୍ଷତିପୂରଣ ବାବଦରେ ୨୦ହଜାର ଟଙ୍କା ଦିଆଯାଉଥିବା ବେଳେ ଏହି କ୍ଷତି ପୂରଣ ରାଶି ଏକର ପ୍ରତି ୪୦ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ବହୁ ମହଲରୁ ଦାବି ହୋଇଛି। ଏହି ସମସ୍ୟା ପ୍ରତି ନୂତନ ସରକାର ଦୃଷ୍ଟି ଦେଲେ ହାତୀ ଉପଦ୍ରଵ କରୁଥିବା ବନାଞ୍ଚଳରେ ସମସ୍ତ କ୍ଷତିଗ୍ରସ୍ତ ହିତାଧିକାରୀ ଉପକୃତ ହୋଇପାରିବେ ସାଧାରଣରେ ଦାବି ହୋଇଛି।


