ପରିଚାଳନା କମିଟି ଗଠନରେ ବିବାଦ: ବିଇଓଙ୍କୁ ଅଭିଭାବକ ଫେରାଦ
ଧାମନଗର (ଓ୍ବାଇଏନଏସ): ରାଜନୈତିକ ଛକା ପଞ୍ଜା କାରଣରୁ ପରିଚାଳନା କମିଟି ଗଠନରେ ବିବାଦ ବୃଦ୍ଧି ପାଉଛି: ଏନେଇ ବିଇଓଙ୍କ ନିକଟରେ ଅଭିଭାବକ ଫେରାଦ ହୋଇଛି। ଏଭଳି ଘଟଣା ସାମନାକୁ ଆସିଛି ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦଳାଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟର ପରିଚାଳନା କମିଟି ଗଠନକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।ବିଦ୍ୟାଳୟଟି ଦୀର୍ଘଦିନ ଧରି ଶାନ୍ତିଶୃଙ୍ଖଳାର ସହ ପରିଚାଳିତ ହୋଇଆସୁଥିବା ବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିଛି ବ୍ୟକ୍ତି ବିବାଦ ସୃଷ୍ଟି ଉଦ୍ଦେଶ୍ୟରେ ଶିକ୍ଷକମାନଙ୍କ ଉପରେ ଚାପ ପକାଇ ଏକପାଖିଆ ଭାବେ ପରିଚାଳନା କମିଟି ଗଠନ ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି।ଏନେଇ ପ୍ରଥମ ବୈଠକରେ କମିଟି ଗଠନ ପ୍ରକ୍ରିୟା ବାତିଲ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁନର୍ବାର କମିଟି ଗଠନ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍କୁଲ ପରିଚାଳନା କମିଟିର କିଛି ସଦସ୍ୟ ଓ ଅଭିଭାବକ। ଏନେଇ ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି। ପରିଚାଳନା କମିଟି ଗଠନରେ ଏଭଳି ବିବାଦ ଜାରି ରହିଲେ ଏହାର ସିଧାସଳଖ ପ୍ରଭାବ ବିଦ୍ୟାଳୟର ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡ଼ିବ ବୋଲି ଅଭିଭାବକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ନିୟମାନୁସାରେ ପରିଚାଳନା କମିଟି ଗଠନ କରିବାକୁ ସେମାନେ ଦାବି କରିଛନ୍ତି। ଅଭିଯୋଗର ସମାଧାନ ନହେଲେ ଆଗାମୀ ଦିନରେ ଅଭିଭାବକ ଓ ସ୍ଥାନୀୟ ଲୋକେ ଆନ୍ଦୋଳ କରିବା ପାଇଁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କଲେ ମଧ୍ୟ ହୋଇ ପାରିନାହିଁ।


