ଗଜପତି ପୋଲିସର ସଫଳତା:୧ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଚୋରା ଗଞ୍ଜେଇ ଓ ଚୋରା ମଦ କାରବାର ବିରୁଦ୍ଧରେ ପୋଲିସର ଅଭିଯାନ, ପେଟ୍ରୋଲି ଓ ଚଢାଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 1 କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରାୟ ୭୦୨ କେଜି ଗଞ୍ଜେଇ ଜବତ ହୋଇଛି। ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଅଡବା ଥାନା ପରିସରରେ ଥିବା ଅଟାପଡ଼ା ଗ୍ରାମ ନିକଟିସ୍ଥ ଅନ୍ତରବା ପଞ୍ଚାୟତ ଅଧୀନ ଜଙ୍ଗଲ ଅଞ୍ଚଳରୁ ଏହି ଗଞ୍ଜେଇ ଜବତ ହୋଇଛି. ତେବେ ଘଟଣାସ୍ଥଳରୁ କୌଣସି ଅଭିଯୁକ୍ତ ଧରାପଡ଼ିନାହାନ୍ତି. ଗତକାଲି ମଙ୍ଗଳବାର ଅଡ଼ବା ଥାନା ଆଇଆଇସିଙ୍କ ନେତୃତ୍ୱରେ ପୁଲିସ ଟିମ୍ ଅନ୍ତରବା, ଚୁଡ଼ାଙ୍ଗପୁର, ଅଟାପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ଚାଲିଥିବା ବେଳେ ଅଟାପଡ଼ା ଗ୍ରାମ ନିକଟସ୍ଥ ଏକ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ୨୮ଗୋଟି ପ୍ଲାଷ୍ଟିକ୍ କ୍ୟାନ ଥିବା ଦେଖା ଯାଇଥିଲା। ସନ୍ଦେହ ହେବାରୁ ପୁଲିସ ଆଇନ ଅନୁଯାୟୀ ଯାଞ୍ଚ କରିଥିଲେ. ଏଠାରୁ 7କ୍ଵିଣ୍ଟାଲ 02 କେଜି ଗଞ୍ଜେଇକୁ ପୋଲିସ ଜବତ କରିଥିଲେ. ଚୋରା ବଜାରରେ ଜବତ ହୋଇଥିବା ଏହି ଗଞ୍ଜେଇର ମୂଲ୍ୟ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି. ପୋଲିସର ଏହି ଚଢାଉରେ କାହାକୁ ଗିରଫ କରାଯାଇନାହିଁ. ହେଲେ ପୋଲିସ ଅଡବା ଥାନାରେ ମାମଲା ରୁଜୁ କରିବା ସହ ଏହି ଗଞ୍ଜେଇ କାରବାରରେ ସମ୍ପୃକ୍ତ ମାଫିଆମାନଙ୍କୁ ଗିରଫ କରିବା ପାଇଁ ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି.


