ଗୋକର୍ଣ୍ଣପୁର ବୋମା ମାଡ଼ ଘଟଣା ମାଷ୍ଟରମାଇଣ୍ଡ ସମେତ ଅନ୍ୟଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡ ରେ ଔଷଧ ଦୋକାନ କରିଥିବା ପ୍ରହଲ୍ଲାଦ ଡାକୁଆ ଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗତ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ ଟାରେ  ବୋମା ମାଡ଼ କରାଯାଇଥିଲା। ବୋମା ମାଡ଼ରେ ସେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଔଷଧ ଦୋକାନ ସାମାନ୍ୟ କ୍ଷତିଗସ୍ତ ହୋଇଥିଲା। ଏହି ଘଟଣାର ମାଷ୍ଟର ମାଇଣ୍ଡ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର ଏଚ୍. ଶିବା ରେଡ୍ଡୀ ଏବଂ ତାଙ୍କ ସହଯୋଗୀ ଏଚ୍. ଚିନ୍ତାମଣି ରେଡ୍ଡୀ ଙ୍କୁ ଥାନା ମାମଲା ନଂ.୯୯/୨୫ ଅନୁଯାୟୀ ଗିରଫ କରାଯିବା ପରେ ମଙ୍ଗଳବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଜଣାଇଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଘଟଣା ଦିନ ଏକ ବାଇକ ରେ ଶିବା,ଚିନ୍ତାମଣି ଏବଂ ଅନ୍ୟଜଣେ ସହଯୋଗୀ ବାଇକ ରେ ଆସି ଦୋକାନ ଉପରକୁ ଲଗାତର ୩ ଟି ବୋମା ଫିଙ୍ଗି ଦିଗପହଣ୍ଡି ଅଭିମୁଖେ ଦୃତଗତି ରେ ଚାଲିଯାଇଥିଲେ। ୨ ଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା। ଏହି ବୋମା ମାଡ଼ ରେ ଔଷଧ ଦୋକାନ ର ସମ୍ମୁଖ ଭାଗ ଏବଂ ସେଠାରେ ଥିବା କିଛି ପରିମାଣର ଔଷଧ ଜଳି ଯାଇଥିଲା। ଦିଗପହଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମା,କାଚ ଖଣ୍ଡ ଓ ଜଳି ଯାଇଥିବା ଜଳିଯାଇଥିବା କିଛି ଔଷଧ ବକ୍ସ ଗୁଡ଼ିକୁ  ଜବତ କରି ଘଟଣାର କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ ରେକର୍ଡ କରି ଫେରିଥିଲେ। ପ୍ରକାଶ ଯେ, ପ୍ରାୟ ୧ ମାସ  ପୂର୍ବେ ହାଇସ୍କୁଲ ରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଙ୍କ ନଗ୍ନ ଫଟୋ ଭିଡିଓ ଉତ୍ତୋଳନ କରି କିଛି ଯୁବକ ତାକୁ ଭାଇରାଲ କରିଥିଲେ। ଏହି ସମ୍ବେଦନଶୀଳ ଘଟଣାରେ ଗତ ଫେବୃଆରୀ ୩ ତାରିଖରେ କିଛି ଗ୍ରାମବାସୀ ଙ୍କ ସହ ପ୍ରହଲ୍ଲାଦ ଥାନାରେ ପହଞ୍ଚି ପୋଲିସକୁ ସବିଶେଷ ସୂଚନା ଦେଇଥିଲେ। ଏନେଇ ଛାତ୍ରୀ ଙ୍କ ବାପା  ଏତଲା ହେବାପରେ  ଆଇଆଇସି ଥାନା ମାମଲା ନଂ.୫୨/୨୫ ଅନୁଯାୟୀ  ମକଦ୍ଦମା ରୁଜୁ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ଶିବା ରେଡ୍ଡୀଙ୍କୁ ଗିରଫ ପାଇଁ ତାଙ୍କ ଘରେ ଚଢ଼ାଉ କରିଥିଲେ। କିନ୍ତୁ ସେ କୌଶଳକ୍ରମେ  ଫେରାର ହୋଇଯାଇଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ ଦୋରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଔଷଧ ଦୋକାନୀ ପ୍ରହଲ୍ଲାଦଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଶିବା ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତାଙ୍କ ଅନ୍ୟ ୨ ସହଯୋଗୀଙ୍କୁ ସାଙ୍ଗରେ ନେଇ ସେ ହାତ ବୋମା ପ୍ରସ୍ତୁତ କରିବା ସହ  ଘଟଣା ଦିନ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। କିଛି ସୂଚନା ଦାତାଙ୍କ ତଥ୍ୟକୁ ଭିତ୍ତିକରି ପ୍ରଥମେ ପୋଲିସ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିଥିଲେ। ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସମର୍ଥ ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ