ପ୍ରବଳ ଗ୍ରୀଷ୍ମତାପରୁ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ନିର୍ଦ୍ଦେଶ

କରଞ୍ଜିଆ, (ଜିତେନ୍ଦ୍ର ରାଜ): କରଞ୍ଜିଆ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲି ଯୁଗ୍ମଭାବେ ଜନଅଭିଯୋଗ ଶୁଣାଣି କରିଛନ୍ତି । ଶିବିରକୁ ମୋଟ ୧୦୫ଗୋଟି ଅଭିଯୋଗ ଆଗତ ହୋଇଥିଲା । ତନ୍ମଧ୍ୟରୁ ୭୪ଗୋଟି ବ୍ୟକ୍ତିଗତ ଥିବା ସ୍ଥଳେ ୩୧ଗୋଟି ଗୋଷ୍ଠୀଗତ ଅଭିଯୋଗ ଥିଲା । ମୋଟ ଅଭିଯୋଗ ମଧ୍ୟରୁ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର କାଲାମି ମହାନ୍ତଙ୍କୁ ଚିକିତ୍ସା ବାବଦରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୦ହଜାର ଟଙ୍କା ଏବଂ କରଞ୍ଜିଆ ଏନଏସି ଅଞ୍ଚଳର ଚନ୍ଦନ ଟାଙ୍ଗିରିଆଙ୍କୁ ଚିକିତ୍ସା ବାବଦକୁ ରେଡ଼କ୍ରସ ଫଣ୍ଡରୁ ୨ହଜାର ଟଙ୍କା ଜିଲ୍ଲାପାଳ ସହାୟତା ଯୋଗାଇଦେଇଥିଲେ । ଅଭିଯୋଗ ଶୁଣାଣି ପରେ ଆସନ୍ନ ପ୍ରବଳ ଗ୍ରୀଷ୍ମତାପକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ପଦକ୍ଷେପ ନେବାପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟତଃ ଆଗାମୀ ୭ଦିନ ମଧ୍ୟରେ ଅଚଳ ନଳକୂପଗୁଡିକୁ ସଚଳ କରିବା ଏବଂ ଜଳକ୍ଳିଷ୍ଟ ଜନବସତି ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଇଦେବା ଏବଂ ରାସ୍ତାପାର୍ଶ୍ଵରେ ପଥଚାରୀଙ୍କୁ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ସମସ୍ତ ବିଭାଗ ପକ୍ଷରୁ ପାନୀୟଜଳ ପ୍ରକଳ୍ପ ସ୍ଥାପନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମେଳା ଓ ହାଟ ସ୍ଥାନ ଗୁଡିକରେ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ପର୍ଯ୍ୟନ୍ତ ଶ୍ରମଜୀବୀମାନଙ୍କୁ କାର୍ଯ୍ୟରୁ ବିରତ ରଖିବାପାଇଁ ପରାମର୍ଶ ଦେଇଥିଲେ । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମହୁଲି ମଦ କାରବାର ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ସହ ଶିକ୍ଷାନୁଷ୍ଠାନ ନିକଟବର୍ତ୍ତୀ ମହୁଲି କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ । ଶିବିର ପରିଚାଳନାରେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଉପଖଣ୍ଡ ପୁଲିସ ଅଧିକାରୀ ନବକ୍ରୀଷ୍ଣ ନାଏକ, ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚିତ୍ତରଞ୍ଜନ ମହାନ୍ତ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ ଦାସ, ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା. ଅନିତା ସିଂ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ସେଠୀ, ଉଠା ଜଳସେଚନ ବିଭାଗର ଅଧିକ୍ଷଣଯନ୍ତ୍ରୀ ବିକ୍ରମାଦିତ୍ୟ ପାଣିଗ୍ରାହୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ, ଉପଖଣ୍ଡର ସମସ୍ତ ବିଡ଼ିଓ, ତହସିଲଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅବକାରୀ ବିଭାଗ ଓ ବିଭିନ୍ନ ଲାଇନ ବିଭାଗର ପଦାଧିକାରୀଗଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ