ବାଲି ଗାଡ଼ିରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ, ଜଣେ ଗିରଫ
ହାଟଡିହି (ଓ୍ବାଇଏନଏସ): ରାସ୍ତାରେ ଯାତାୟାତ କରୁଥିବା ବାଲି ବୋଝେଇ ଗାଡ଼ିରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ଅଭିଯୋଗରେ ନନ୍ଦିପଦା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ସିମିଳିଆ ଗ୍ରାମର ବିଶ୍ୱନାଥ ମହାନ୍ତି ଓରଫ୍ ଚାଇନା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସରେ ଅଣା-ସମଣା ରାସ୍ତାର ସିମିଳିଆ ନିକଟରେ ଯାତାୟାତ କରୁଥିବା ବାଲି ବୋଝେଇ ଗାଡ଼ିଗୁଡ଼ିକୁ ଅଟକାଇ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସଢ଼ା ଗ୍ରାମର ଜଗନ୍ନାଥ ମହାନ୍ତି ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ନନ୍ଦିପଦା ପୋଲିସ ଥାନା କେସ୍ ନଂ ୧୫୫/୨୦୨୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଶ୍ୱନାଥ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି। ପରେ ତାଙ୍କୁ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଚାଳକଙ୍କୁ ହଇରାଣ କରିବା ଓ ବେଆଇନ ଭାବେ ଅର୍ଥ ଆଦାୟ ଭଳି ଅଭିଯୋଗକୁ ନେଇ ଏହି ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


