ହାଇୱା ଧକ୍କାରେ ପଥଚାରୀ ଗୁରୁତର

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅଣା-ସମଣା ରାସ୍ତାର ଇଶଳା ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ହାଇୱା ଧକ୍କାରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ତାଙ୍କର ଗୋଟିଏ ହାତ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଆହତଙ୍କୁ ନନ୍ଦିପଦା ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଛି। ସୂଚନା ଅନୁଯାୟୀ, ଇଶଳା ଗ୍ରାମର ମୋହନ ବାରିକ ଆଜି ସନ୍ଧ୍ୟାରେ ଇଶଳା ଛକରୁ ନିଜ ଘରକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ଅଣା ପଟରୁ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ତାଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଭଳି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରେ ଭାରୀଯାନ ଚଳାଚଳ ଓ ଦ୍ରୁତଗତିକୁ ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମୋହନ ବାରିକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ