ବିଧାୟକ ତୁଷାରକାନ୍ତିଙ୍କ ଠାରୁ ଟ୍ରେଡିଂ ଆପରେ ଅର୍ଥ ଠକେଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବା ସହ ଗିରଫ ଦାବୀ କଲା ବିଜେପି
ନିମାପଡ଼ା,( ସନ୍ତୋଷ କୁମାର ଦାଶ): ଗତ ଜାନୁଆରୀ ମାସରେକାକଟପୁର ର ବିଧାୟକ ତଥା ପୂର୍ବତନ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଠାରୁ ଟ୍ରେଡି ଆପର ଠକ ମାନେ ୧ କୋଟି ୪୦ ଲକ୍ଷ ଟଙ୍କା ଠକି ନେଇ ଥିବା ନେଇ ବିଧାୟକ ଶ୍ରୀ ବେହେରା ରାଜ୍ୟ ସାଇବର ସେଲ ରେ ଅଭିଯୋଗ କରିବା ପରେ ରାଜ୍ୟ ରାଜନୀତି ରେ ଏକପ୍ରକାର ହଟଚମଟ ସୃଷ୍ଟି ହୋଇଛି । ଏହି ଘଟଣା କୁ ସହଜରେ ହଜମ କରିପାରିନି କାକଟପୁର ବିଜେପି ।ଏ ସଂକ୍ରାନ୍ତ ରେ ମଙ୍ଗଳବାର ଦିନ କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି ଯେ ବିଧାୟକ ଶ୍ରୀ ବେହେରା ୨୦୨୪ ନିର୍ବାଚନ ସମୟରେ ନିଜର ଓ ପରିବାରର ସ୍ଥାବର ଓ ଅସ୍ଥାବର ସମ୍ପତି ର ମୂଲ୍ୟ ୯୭ ଲକ୍ଷ ୧୧ ହଜାର ୪୬୮ ଟଙ୍କା ରହିଥିବା ନେଇ ନିର୍ବାଚନ କମିଶନ ଙ୍କୁ ସତ୍ୟପାଠ ମାଧ୍ୟମରେ ଦର୍ଶାଇ ଥିଲେ । ମାତ୍ର ଦିନ କେଇଟା ପରେ ସାଇବର ଠକଙ୍କ ଦ୍ୱାରା ୧କୋଟି ୪୦ ଲକ୍ଷ ଟଙ୍କା ଠକେଇ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି ଯେ ଗତ ୨୦୧୯ ରୁ ୨୦୨୪ ମଧ୍ୟରେ ପୂର୍ବ ସରକାର ଙ୍କ ବହୁ ବିଭାଗ ର ମନ୍ତ୍ରୀ ଦାୟୀତ୍ବ ରେ ଥାଇ ଏକାଧିକ ବିଭାଗରୁ ବହୁ ବେନାମୀ ଅର୍ଥ ଆହରଣ କରି ନିଜ ପରିବାର ମାଧ୍ୟମରେ ଦୁରୁପଯୋଗ କରିଥିବା ପଦାରେ ପଡିଛି ବୋଲି କାକଟପୁର ଭାଜପା ଶାଖା ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣା ର ଭିଜିଲାନ୍ସ ତଦନ୍ତ କରିବାକୁ ବିଜେପି ନେତା ମାନେ ଦାବି କରିଛନ୍ତି। ଉପରୋକ୍ତ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତାହେଲେ ଆଗାମୀ ଦିନରେ କାକଟପୁର ଭାଜପା ରାଜରାସ୍ତା କୁ ଓହ୍ଲାଇବା ସହିତ କୋର୍ଟର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି ।ଏହି ସାମ୍ବାଦିକ ସମ୍ମିଳନୀ ରେ ଭାଜପା ପକ୍ଷରୁ ସରୋଜ ମିଶ୍ର, କାଳନ୍ଦୀ ଦୀକ୍ଷିତ, ପ୍ରିୟବ୍ରତ ବିଶ୍ୱାଳ, ମଙ୍ଗଳା ପ୍ରସାଦ ସାମନ୍ତରାୟ, ଲଳିତ ରଥ, ନାରାୟଣ ମହାରଣା ଓ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଘଟଣା କାକଟପୁର ନିର୍ବାଚନ ମଣ୍ଡଳୀ ର ରାଜନୈତିକ ପାଣିପାଗ କୁ ବେଶ ଉଷ୍ମ କରି ଦେଇଛି।