ମନ୍ଦିର ପ୍ରବେଶ କାରଣରୁ ଦଳିତଙ୍କ ଉପରେ ନିର୍ଯ୍ୟାତନା ଓ ଅର୍ଥନୈତିକ ବାସନ୍ଦ

ଭୁବନେଶ୍ୱର, : ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ମନ୍ଦିରରେ ପୂଜା କରିବା ଏକ ସ୍ୱାଭାବିକ ପବିତ୍ର ଅଧିକାର ହୋଇଥିବା ସତ୍ତ୍ୱେ ଆଜିପର୍ଯ୍ୟନ୍ତ ଅନୁସୂଚିତ ଜାତି (ଦଳିତ)ମାନଙ୍କୁ ବିଭିନ୍ନ ସ୍ଥାନରେ ଅସ୍ପୃଶ୍ୟତା କାରଣରୁ ମନ୍ଦିର ପ୍ରବେଶ ବାରଣ କରାଯାଉଛି । ଏହିଭଳି ଏକ ଘଟଣାରେ ନିମାପଡ଼ା ଥାନା ଅନ୍ତର୍ଗତ ଭିଲିଗ୍ରାମ ପଞ୍ଚାୟତର ଭିଲିଦେଉଳୀ ଗ୍ରାମରେ ଦଳିତ ମାନଙ୍କର (ଭୋଇ ମାନଙ୍କର) ମନ୍ଦିର ପ୍ରବେଶ କାରଣରୁ ସେମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ଧମକ ଚମକ ଆଦି ନିର୍ଯ୍ୟାତନା ଦିଆଯାଇ ଅର୍ଥନୈତିକ ବାସନ୍ଦ ଲାଗୁ କରାଯାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିଜର ଗ୍ରାମର ପାଖଗ୍ରାମ ଘଟିଥିବା ଅଭିଯୋଗ ହସ୍ତଗତ ହୋଇଥିଲାବେଳେ ପ୍ରଶାସନର ନୀରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣାପଡ଼ିଛି ଯେ, ଭିଲିଦେଉଳୀ ଗ୍ରାମରେ ପୂର୍ଣ୍ଣେଶ୍ୱର ମହାଦେବ ନାମକ ଏକ ଶିବ ମନ୍ଦିରକୁ ଦଳିତମାନଙ୍କ ପ୍ରବେଶ ନିଷେଧ ଥିବାରୁ ସେମାନେ ମନ୍ଦିର ବାହାରେ ରହି ନମସ୍କାର କରୁଥିଲେ । ମନସ୍କାମନା ଥିଲେ କିମ୍ବା ପୂଜା କରିବାକୁ ହେଲେ ମନ୍ଦିରର ପୂଜା ସାମଗ୍ରୀ ଦୋକାନୀକୁ ପଇସା ଦେଲେ ସେ ଦଳିତମାନଙ୍କ ତରଫରୁ ପୂଜା କରି ଭୋଗ ଦେଉଥିଲେ । କିନ୍ତୁ ଦଳିତମାନଙ୍କ ମନରେ ବର୍ଷବର୍ଷର ଆଗ୍ରହ ଓ ଠାକୁରଙ୍କୁ ନିକଟରୁ ପୂଜା କରିବାର ଭକ୍ତି କାରଣରୁ ଗତ ୧୭.୮.୨୦୧୯ରିଖ, ସଂକ୍ରାନ୍ତି ଦିନ କିଛି ଦଳିତଯୁବକ ସେହି ଶିବମନ୍ଦିରରେ ପଶି ପୂଜାର୍ଚ୍ଚନା କରିଥିଲେ । ସେମାନେ ମନ୍ଦିରରେ ପଶି ବାହାରି ଆସିଲା ପରେ ମନ୍ଦିରକୁ ତାଲା ପକାଇ ସମସ୍ତ ନୀତି ବନ୍ଦ କରି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସବର୍ଣ୍ଣମାନେ ଦଳିତସାହି ମୁରବୀମାନଙ୍କ ଡ଼କାଇ ମନ୍ଦିର ପ୍ରବେଶ ପରମ୍ପରାକୁ ଭାଙ୍ଗିବା ଏକ ଅପରାଧ ବୋଲି କହି ପୁନର୍ବାର ଏହା ନ କରିବାକୁ ତାଗିଦ କରିଥିଲେ । କିନ୍ତୁ ଦଳିତମାନେ ପୁଣି ମନ୍ଦିର ପ୍ରବେଶ କରିବାରୁ ସବର୍ଣ୍ଣମାନଙ୍କ ଦ୍ୱାରା ଧମକ ଚମକ, ଆକ୍ରମଣ, ଗାଳିଗୁଲଜ ଆଦି କରାଯାଇଥିଲା । ଏ ସମ୍ପର୍କରେ ନିମାପଡ଼ ଥାନା, ପୁରୀଜିଲ୍ଲା ଆରକ୍ଷୀ ଅଧିକ୍ଷକ, ନିମାପଡ଼ା ଏସ୍‌.ଡ଼ି.ପି.ଓଙ୍କୁ ବିଭିନ୍ନ ସମୟରେ ଦଳିତମାନଙ୍କ ଦ୍ୱାରା ଲିଖିତ ଅଭିଯୋଗ କରାଯାଇଛି ଓ ଏସ୍‌ଡ଼ିପିଓ, ଥାନା ଅଧିକାରୀ ଓ ନିମାପଡ଼ା ତହଦିଲ୍‌ଦାରଙ୍କୁ ଭେଟି ମୌଖିକ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଦଳତ ମାନଙ୍କ ଅଭିଯୋଗ ଭିତ୍ତିରେ ନିମାପଡ଼ା ଥାନା କେସ୍ ନଂ ୨୩୫/୧୯, ୨୬୪/୧୯, ୨୭୦/୧୯ ମାମଲା ରୁଜୁ କରାଯାଇଛି । ଗତ ଅଗଷ୍ଟ ମାସଠାରୁ ଏହି ଘଟଣା ଘଟି ଥିଲେ ମଧ୍ୟ ପ୍ରଶାସନ ତରପରୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ କିମ୍ବା ଶାନ୍ତି ବୈଠକ ଆହୁତ ହୋଇନାହିଁ ଏବଂ ସବର୍ଣ୍ଣବର୍ଗର ଅଭ୍ୟାସଗତ ଅସ୍ପୃଶ୍ୟତା ଆଚରଣ କରୁଥିବା ଅପରାଧୀମାନଙ୍କୁ ଗିରଫ କରାଯାଇନାହିଁ । ଉଲ୍ଲେଖଯୋଗ୍ୟ ଯେ, ନିମାପଡ଼ା ଥାନା ଅଞ୍ଚଳକୁ ସରକାର ଏସ୍‌.ସି/ଏସ୍‌.ଟି (ପି.ଓ.ଏ) ରୁଲ୍‌ସ ଅନୁଯାୟୀ ନିର୍ଯ୍ୟାତନା ପ୍ରବଣ ଅଞ୍ଚଳ ରୂପେ ଚିହ୍ନଟ ଓ ଘୋଷଣା କରିଛନ୍ତି ଏବଂ ପୁରୀ ଅତିରିକ୍ତ ଜିଲ୍ଲାପାଳ ସ୍ପେଶାଲ ଅଫିସର ରୂପେ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଏହି ଘଟଣାରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏ ସମ୍ପର୍କରେ ବିଚାରମଞ୍ଚ ପକ୍ଷରୁ ପ୍ରତିନିଧିମାନେ ସ୍ଥାନୀୟ ଏସ୍‌ଡ଼ିପିଓ, ତହସିଲ୍‌ଦାର ଏବଂ ପୁରୀ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରାଯାଇଛି ଓ ଲଖିତ ଭାବରେ ଜଣାଇ ଦିଆଯାଇଛି । ଇତିମଧ୍ୟରେ ସବର୍ଣ୍ଣମାନଙ୍କ ଦ୍ୱାରା ଦଳିତମାନଙ୍କ ଉପରେ ଅର୍ଥନୈତିକ ବାସନ୍ଦ ଲାଗୁ କରାଯାଇଛି । ଦଳିତମାନେ ମୁଖ୍ୟତଃ ଭାଗଚାଷ କରି ଜୀବିକା ନିର୍ବାହ କରୁଥିବାରୁ ସେମାନେ ଚାଷ କରୁଥିବା ପ୍ରାୟ ୩୦ ଏକର ଜମି ସେମାନଙ୍କ ଠାରୁ ଛଡ଼ାଇ ନିଆଯାଇଛି । ପୂର୍ଣ୍ଣେଶ୍ୱର ମନ୍ଦିରର ସେବକଙ୍କ ମାର୍ଫତରେ ଥିବା ମନ୍ଦିର ଜମିକୁ ମଧ୍ୟ ଦଳିତମାନଙ୍କ ଠାରୁ ଫେରାଇ ନିଆଯାଇଛି । ଦଳିତମାନଙ୍କ ନିଜ ଜମି ଓ ଭାଗଚାଷ ଜମିରୁ ଧାନ କାଟି ଉଠାଇବାକୁ ଏବଂ ହଳ କରିବାକୁ ସବର୍ଣ୍ଣମାନେ ନିଷେଧ କରିଛନ୍ତି ଓ କୌଣସି ଟ୍ରାକ୍ଟର ସେମାନଙ୍କ ଜମିକୁ ଛଡ଼ାଯାଉ ନାହିଁ । ଆଖପାଖ ଅଞ୍ଚଳରେ ସମସ୍ତ ସବର୍ଣ୍ଣମାନଙ୍କ ଜମି ଏହି ଗ୍ରାମର ଦଳିତମାନଙ୍କୁ ଭାଗଚାଷ ଆକାରରେ ଦେବାକୁ ନିଷେଧ କରାଯାଇଛି ଏବଂ ସମସ୍ତ ଟ୍ରାକ୍ଟର ମାଲିକମାନଙ୍କୁ ଏହି ଦଳିତମାନଙ୍କ ଚାଷ କାର୍ଯ୍ୟରେ ନିୟୋଜିତ ହେବାକୁ ନିଷେଧ କରାଯାଇଛି । ଏ ସମ୍ପର୍କରେ ଗ୍ରାମରେ ଗତ ୧୭.୮.୨୦୧୯ ଓ ୧୮.୮.୨୦୧୯ରେ ସବର୍ଣ୍ଣମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ସେଥିରେ ଭିଲିଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବେଲାଳସେନ ମହାପାତ୍ର ଉପସ୍ଥିତ ରହି ଆଲୋଚନାରେ ଅଗ୍ରଣୀ ଭୂମିକା ନେଇଥିବାର ଜଣାଯାଏ । ଏଭଳି ଏକ ଭେଦଭାବପୂର୍ଣ୍ଣ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ସମ୍ପର୍କରେ ପ୍ରଶାସନର କ୍ରିୟାଶୀଳ ଭୂମିକାର ଆବଶ୍ୟକତା ଥିଲାବେଳେ ଓ ସ୍ଥାନୀୟ ଜନପ୍ରତିନିଧି ମାନଙ୍କର ବିଶେଷ ଦାୟିତ୍ୱ ଥିଲାବେଳେ ଏଯାବତ ଘଟିଥିବା ଘଟଣାବଳୀ ଏକ ଲଜ୍ଜାକର ଓ ନିନ୍ଦନୀୟ ଚିତ୍ର ପ୍ରଦାନ କରୁଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଚାର ମଞ୍ଚ ଦୃଢ ଦାବୀ ଉପସ୍ଥ୍‌ାପନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ