ବୁଗୁଡା ଠାକୁରାଣୀ ଯାତ୍ରା : ସପ୍ତମ ଦିନରେ ମା’ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା
ବୁଗୁଡା (ଅନୀଲ କୁମାର ମହାରଣା) : ବୁଗୁଡା ମା’ ପଞ୍ଚ ଠାକୁରାଣୀ ଯାତ୍ରାର ମଇ ୧ ତାରିଖ ହେଉଛି ସପ୍ତମ ଦିବସ। ଏପ୍ରିଲ ୨୫ ତାରିଖ ଦିନ ମା’ ମାଳିଝୋଳା, ମା’ ବୁଢୀ ଠାକୁରାଣୀ , ମା’ ବ୍ଯାଘ୍ରଦେବୀ , ମା’ ନାରାୟଣୀ ଓ ମା’ ମାଉଁଦେଈ ପଞ୍ଚ ଠାକୁରାଣୀଙ୍କୁ ଆବାହନ କରି ଆଣି ବୁଗୁଡା ବଡ ଦାଣ୍ଡର ଅସ୍ଥାୟୀ ମଣ୍ଡପରେ ଆସ୍ଥାନ ପରେ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏପ୍ରିଲ ୨୬ ତାରିଖ ଦିନ ମା’ ପଞ୍ଚ ଠାକୁରାଣୀ ବିଶ୍ରାମ ନେବା ପରେ ଏପ୍ରିଲ ୨୭ ତାରିଖ ଠାରୁ ମା’ମାନଙ୍କ ଘଟ ସହରର ବିଭିନ୍ନ ସାହି ପରିକ୍ରମା ଆରମ୍ଭ ହୋଇଥିଲା। ମଇ ୧ ତାରିଖ ଗୁରୁବାର ଦିନ ମା’ ପଞ୍ଚ ଠାକୁରାଣୀଙ୍କ ଘଟ ଆସ୍ଥାନ ବାହାରି ଶ୍ରୀ ବଳଦେବ ଜୀଉ ମନ୍ଦିର, ପୋଲିସ ଥାନା ରୋଡ଼, ହାଇ ସ୍କୁଲ ଛକ ଓ ବସ ଷ୍ଟାଣ୍ଡକୁ ଯାଇ ସେଠାରୁ ଫେରି ମହାପାତ୍ର ସାହି, ନବ କୁଞ୍ଜର ସାହି, ଟୁଣୁ ଟୁଣିଆ ସାହି ପରିଭ୍ରମଣ କରି ଇରିଗେସନ କଲୋନୀ, ମେଡ଼ିକାଲ କଲୋନୀ, ବ୍ଲକ କଲୋନୀ, ପ୍ରେମଚାନ୍ଦ ନଗର, ମହୁଲିଆ ତୋଟା ସାହି ପରିକ୍ରମା କରି ମୁଖ୍ୟ ସଡକରୁ ପୋଲସରା ରୋଡ଼ ଓ ବଳଦେବ ଜୀଉ ମନ୍ଦିର ଦେଇ ଅସ୍ଥାୟୀ ମଣ୍ଡପର ନିଜ ଆସ୍ଥାନକୁ ଫେରିଥିଲେ। ଘଟ ପରିକ୍ରମା ସମୟରେ ବିଭିନ୍ନ ବାଜା ସହ ହୁଳହୁଳି ଧ୍ୱନୀ ସହ ପ୍ରତ୍ୟେକ ଗୃହ ସମ୍ମୁଖରେ ପୁର୍ଣ୍ଣକୁମ୍ଭ ବସାଯାଇ ମା ପାଞ୍ଚ ଠାକୁରାଣୀଙ୍କ ଆଶିଷ ଲାଭ କରିଥିଲେ। ସପ୍ତମ ଦିନରେ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ପଟୁଆରରେ ମା’ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କରିଥିଲେ। ମଇ ୧୧ ତାରିଖରେ ମା’ ପଞ୍ଚ ଠାକୁରାଣୀ ଯାତ୍ରା ସମାପ୍ତ ହେବ।


