ଶ୍ରୀବଳଦେବଜୀଉ ମନ୍ଦିର ବାଇପାସ ରାସ୍ତା ଜବରଦଖଲ ମୁକ୍ତ ଦାବି
କେନ୍ଦ୍ରାପଡ଼ା:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯିବା ପାଇଁ ଥିବା ବାଇପାସ ରାସ୍ତାକୁ ଜବରଦଖଲମୁକ୍ତ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। କେନ୍ଦ୍ରାପଡା ସହର ମଧ୍ୟ ଦେଇ ଯାଇଥିବା ତିନିମୁହାଣୀ- ଅଙ୍ଗୁଳେଇ ରାସ୍ତାର କେଶପୁର ବଜାର, ବଡମଙ୍ଗଳା, ସାନମଙ୍ଗଳା ପ୍ରଭୃତି ଦେଇ ଶ୍ରୀଜୀଉଙ୍କ ମନ୍ଦିର ନିକଟକୁ ମୁଖ୍ୟ ରାସ୍ତା ରହିଛି। କିନ୍ତୁ ସାନ୍ତସାହି ଠାରୁ କେନ୍ଦ୍ରାପଡା କେନାଲବନ୍ଧରେ ଅବକାରୀ କାର୍ଯ୍ୟାଳୟ ଦେଇ ଶ୍ରୀଜୀଉଙ୍କ ମନ୍ଦିର ନିକଟକୁ ଅନ୍ୟ ଏକ ବାଇପାସ ରାସ୍ତା ମଧ୍ୟ ରହିଛି। ଜାନିଯାତ୍ରା ଓ ରଥଯାତ୍ରା ସମୟରେ ଭକ୍ତ, ଶ୍ରଦ୍ଧାଳୁ, ଯାତ୍ରୀ ଓ ଦର୍ଶାନାର୍ଥୀମାନେ ସହର ପଟୁ ଏହି ବାଇପାସ ରାସ୍ତାରେ ମାଉସୀମା ମନ୍ଦିର ରଥଦାଣ୍ଡକୁ ଯାଇଥାନ୍ତି। ଶ୍ରୀଜୀଉଙ୍କ ପୂଜା ପାର୍ବଣ ଓ ରଥଯାତ୍ରା ସମୟରେ ମୁଖ୍ୟ ରାସ୍ତାରେ ଭିଡ କମାଇବା ପାଇଁ ଏହି ବାଇପାସ ରାସ୍ତାକୁ ମନ୍ଦିର ଯିବା ପାଇଁ ଏକପାଖିଆ ରାସ୍ତା ଭାବେ ବ୍ୟବହାର କରାଯାଇଥାଏ। ଏଥିସହିତ ମନ୍ଦିର ନିକଟରୁ ସହର ଆଡକୁ ଆସିିବା ପାଇଁ ସହରର ମୁଖ୍ୟ ରାସ୍ତା ଦେଇ ଫେରିବାକୁ ପଡିଥାଏ। କିନ୍ତୁ ଏହି ରାସ୍ତାର କେନ୍ଦ୍ରାପଡା ପୈାରାସଂସ୍ଥା ଅଧିନ ୨ନମ୍ବର ୱାର୍ଡରେ ଥିବା ବଡବାରଙ୍ଗ ଗ୍ରାମର ସ୍କୁଲ ଛକ ପାଖରୁ ମଧ୍ୟଖଣ୍ଡୀ ପର୍ଯ୍ୟନ୍ତ ଥିବା ବାଇପାସ ରାସ୍ତାକୁ ଜବରଦଖଲ କରାଯାଇଥିବାରୁ ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ ବା ଶଙ୍କୁଚିତ ହୋଇପଡିଛି। ପୈାର କର୍ତ୍ତୃପକ୍ଷ ସ୍କୁଲ ନିକଟରୁ ମାତ୍ର ଅଳ୍ପ କେତେ ବାଟ ନୂତନ ରାସ୍ତା କରି ଛାଡିଦେଇଛନ୍ତି। ଏହି ରାସ୍ତା ପାଖରେ ଥିବା ପାକୃତିକ ଡ୍ରେନଟି ପୋତି ହୋଇ ପଡିଥିବାରୁ ଗ୍ରାମବାସୀ ସେମାନଙ୍କ ଗୃହର ଉଦବୃତ୍ତଜଳକୁ ରାସ୍ତା ଉପରକୁ ଛାଡି ଦେଉଥିବାରୁ ଅନେକ ସମୟରେ ସେହି ରାସ୍ତା ଉପରେ ପାଣି ଲହଡି ମାରୁଥାଏ। ସେହି ରାସ୍ତାର ଉଭୟ ପାଶ୍ୱର୍ରେ ବିଭିନ୍ନ ଗଛଲତା ମାଡି ରାସ୍ତାଟିକୁ ଆହୁରି ଶଙ୍କୁଚିତ କରିଦେଇଛି। ଫଳରେ ସେହି ଅଣଓସାରିଆ ରାସ୍ତା ଦେଇ ଯିବା ଆସିବା କରିବାରେ ବହୁ ସମସ୍ୟା ଉପୁଜୁଛି। ରଥଯାତ୍ରା ଓ ଅନ୍ୟାନ୍ୟ ଜାନିଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ବାରଙ୍ଗ ସ୍କୁଲ ଛକରୁ ମନ୍ଦିର ରାସ୍ତାକୁ ସିଲ କରାଯାଇ ମଧ୍ୟଖଣ୍ଡୀ ବାଟେ ଏକପାଖିଆ ରାସ୍ତାରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଏହି ରାସ୍ତାର ଅବସ୍ଥା ଏବେ ଶଙ୍କୁଚିତ ହୋଇ ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଗୋଟିଏ ଚାରିଚକିଆ ଯାନ ଗଲେ ସମ୍ମୁଖରୁ ଅନ୍ୟ ଏକ ଗାଡି ପାସ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବଡବାରଙ୍ଗ ମଧ୍ୟଖଣ୍ଡୀ ବାଇପାସ ରାସ୍ତାକୁ ମାପ କରାଯାଇ ଓସାରିଆ କରାଯିବାକୁ ଗ୍ରାମର ବରିଷ୍ଠ ନାଗରିକ ଶିକ୍ଷାବୀତ ତଥା ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ ଅଧିକାରୀ ଗଣେଶ୍ୱର ମେକାପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ପାଇଁ ଦାବି କରିଛନ୍ତି। ଏଥିସହିତ ଅଭିଯୋଗର ନକଲ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି।


