କେରଙ୍ଗର ଯୁବ ପ୍ରତିଭାକୁ ସମ୍ବର୍ଦ୍ଧନା
ଖୋର୍ଦ୍ଧା (ଓ୍ବାଇଏନଏସ) ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଗ୍ରାମ, ତାର ଯୋଗ୍ୟ ସନ୍ତାନର ଅନନ୍ୟ ପ୍ରତିଭା ପାଇଁ ବେଶ ପରିଚିତ । ଦେଶ ମାତୃକା ସେବା ପାଇଁ ପ୍ରାଣ ଦେବା, ଦେଶ ସେବା ପାଇଁ ସୈନ୍ୟ ବାହିନୀରେ ସାମିଲ ହେବା, ଭଲ ଫୁଟବଲ ଖେଳିବା ଆଦିରେ ପାରଙ୍ଗମତା ଦେଖାଇ ଆସିଛି । ଏବେ ଓଡିଆ ସାହିତ୍ୟରେ ଯୁବ ପ୍ରତିଭାର ପରିଚୟ ସୃଷ୍ଟି କରିଛନ୍ତି, ମୌଲାନା ଫଜଲ ହକ ଖାନ । ସେ ସ୍ବର୍ଗତ ମୌଲାନା ଶମସୁଲ ହକ ଖାନଙ୍କ ଦ୍ବିତୀୟ ପୁତ୍ର । ସେ ଜଣେ ଧର୍ମ ପ୍ରଚାରକ, ସମାଜସେବୀ, ଲେଖକ, ଅନୁବାଦକ, ପ୍ରବନ୍ଧକ, ପ୍ରବଚକ ତଥା ଜଣେ ପରିଚିତ ଯୁବ ସ୍ତମ୍ଭକାର । ଭୁବନେଶ୍ବରର ମଞ୍ଚେଶ୍ବର ଶ୍ଳିପାଞ୍ଚଳ ସ୍ଥିତ ପ୍ରଗତିବାଦୀ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଅନୁଷ୍ଠିତ ୫୪ତମ ପ୍ରଗତିବାଦୀ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟରୁ ଆସିଥିବା ଅନେକ ଲେଖକ, ଲେଖିକା, କବି ଓ ଗାଳ୍ପିକଙ୍କ ସହ କେରଙ୍ଗ ନିବାସୀ ମୌଲାନା ଫଜଲ ହକ ଖାନଙ୍କୁ ମଧ୍ୟ ଯୁବ ସ୍ତମ୍ଭକାର ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଞ୍ଜନ ସଭାପତିତ୍ବ କରିଥିଲେ । ଏହି ସମାରୋହକୁ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ତଥା ବିଶିଷ୍ଟ ସମାଜସେବୀକା ଗୁରୁମା ଡକ୍ତର ଅରୁନ୍ଧତୀ ଦେବୀ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ତଥା ରାଜନେତା ବିଧାୟକ ଡକ୍ତର ଅରୁଣ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଏବଂ ଅନ୍ୟତମ ବରେଣ୍ୟ ଅତିଥି ଭାବେ ଗାଳ୍ପିକ ତଥା ଅନୁବାଦକ ରାଧୁ ମିଶ୍ର ଯୋଗଦେଇଥିଲେ । ଏହି ସମାରୋହରେ କଟକ ବାଦାମବାଡି ବସଷ୍ଟାଣ୍ଡର ଜଣେ ଖବରକାଗଜ ବିତରକ ଦିଦବନ୍ଧୁ ଦେହୁରୀଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଗତିବାଦୀର ଅଧ୍ୟକ୍ଷା ଶାଶ୍ବତୀ ବଳ ଉପସ୍ଥିତ ରହିଥିଲେ ।


