ଧଳା ଜହର ଜାଲରେ ହାଟଡିହି ଅଞ୍ଚଳ: ଟେର ପାଉନି ଅବକାରୀ ବିଭାଗ
ହାଟଡିହି (ବିକାଶ ବିଶ୍ବାଳ) : ହାଟଡିହି ଅଞ୍ଚଳରେ ଦିନକୁ ଦିନ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ ଯୁବପିଢ଼ି ବହୁଳ ଭାବେ ପ୍ରଭାଚିତ ହେବାରେ ଲାଗିଛନ୍ତି। ଧଳା ଜହର ପ୍ରଭାବରେ ଆସି ଯୁବ ପିଢି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେବା ଭଳି ଘଟଣା ଦେଖିବାକୁ ମିଳୁଛି । ପ୍ରତି ଛକ ବଜାର ମାନଙ୍କରେ ଏହା ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଏହାର ଟେର ପାଉନି କିପରି ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏପରିକି ଏହି ଧଳା ଜହର କାରବାର ସିଧାସଳଖ ଭୁବନେଶ୍ୱର ଓ ବାଲେଶ୍ୱରରୁ ହାଟଡିହି ଅଞ୍ଚଳକୁ ଲମ୍ବିଛି ବୋଲି କୁହା ଯାଉଛି। ନିର୍ଦ୍ଦିଷ୍ଟ କେତେକ ଦୋକାନୀ ଏହି ସାମଗ୍ରୀକୁ ଚୋରାରେ ସଂଗ୍ରହ କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିବା ଆଲୋଚନାର ମୁଖ୍ୟ ବିଷୟ ପାଇଟିଛି। ହାଟଡିହି ବ୍ଲକର ଛେନାପଦି, ଅଣା ଛକ, ବିଦ୍ୟାଧରପୁର, ଚୋରଗଡ଼ିଆ ଛକ, ମୁଗୁପୁର୍, ବରାଙ୍ଗ ଛକ, ଶାଳଣିଆଁ, ଡଅଁର, ଡେଙ୍କା, ସଢା ଆଦି ଅଞ୍ଚଳରେ ଖୁଲାମ୍ ଖୋଲା ବିକ୍ରି ହେଉଛି। ବହୁ ଉଚ୍ଚ ଶିକ୍ଷିତ ବେକାର ଯୁବକ ଏହି କାରବାର ରେ ସାମିଲ ଥିବା ଆଲୋଚନା ହେଉଛି। ଏହା ସହିତ ଅନେକ ସମୟରେ ପଡୋଶୀ ପଶ୍ଚିମବଙ୍ଗ ଅଞ୍ଚଳରୁ ମଧ୍ୟ ଧଳା ଜହର ଚାଲାଣ ହେଉଥିବା ଜଣା ଯାଇଛି। କାମ ବାହାନାରେ ଆସୁଥିବା ପଡୋଶୀ ରାଜ୍ୟ ପଶ୍ଚମବଙ୍ଗ ଅଞ୍ଚଳର ଯୁବକମାନେ ଏଠାରେ ଧଳା ଜହର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ଗତ କିଛିଦିନ ତଳେ ହାଟଡିହିରୁ ଚୋରୀ କରୁଥିବା ବେଳେ ଧରାପଡ଼ିଥିବା ଜଣେ ବଙ୍ଗାଳୀ ଯୁବକ ପକେଟରୁ ବ୍ରାଉନ ସୁଗାର ଜବଦ ହୋଇଥଲା। ତେଣୁ ସେମାନେ ମଧ୍ଯ କାମ ବାହାନାରେ ଧଳା ଜହର କାରବାର କରୁଥିବା ସନ୍ଦେହ କରା ଯାଉଛି। ଏପରିକି ଦୋକାନ ମାନଙ୍କରେ ପୁଡିଆ ଗୋଟି ୩୫୦ରୁ ୪ଶହ ଟଙ୍କାରେ ବିକ୍ରୀ ହେଉଥିବା ଶୁଣିବାକୁ ମିଳୁଛି। କିଛି କଲେଜ ପଢ଼ୁଥିବା ପିଲା ଏହାକୁ ବ୍ୟବହାର କରୁଥିବା ଚର୍ଚା ହେଉଛି। ହାଟଡିହି ଅବକାରୀ ଥାନା କିମ୍ବା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏନେଇ କୌଣସି ଚଢ଼ାଉ ହେଉ ନଥିବାରୁ ଏହା ଏବେ ଧୀରେ ଧୀରେ ଅନ୍ଯ ଅଞ୍ଚଳକୁ କାୟା ବିସ୍ତାର କରୁଛି। କିଛି ଯୁବକ ଭୁବନେଶ୍ୱର ଓ ବାଲେଶ୍ଵରରୁ ଆଣି ଗାଁ ଗାଁ ରେ ଥିବା ବ୍ୟବସାୟୀ ମାନଙ୍କ ପାଖରେ ପହଞ୍ଚାଉଛନ୍ତି। ଗତ କିଛିଦିନ ତଳେ ସମ୍ବଲପୁରର ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଓରାଳି ନିକଟରୁ ଜଣେ ଯୁବକ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଯବଦ କରିବା ଓ ତାର କିଛିଦିନ ପରେ ଡଅଁର ନିକଟରୁ ଅନ୍ଯ ଜଣକୁ ଧରିବା ଏ ଅଞ୍ଚଳରେ ଚାଲିଥିବା ଧଳା ଜହର କାରବାରକୁ ପ୍ରମାଣିତ କରିଥିଲା। ସେହିପରି ଆକରୁଆ ପଞ୍ଚାୟତ ର ଜଣେ ଉଚ୍ଚ ଶିକ୍ଷିତ ବ୍ରାଉନ ସୁଗାର ସହ ଭଦ୍ରକରେ ଧରା ପଡ଼ି ଗିରଫ ହୋଇଥିବା ବେଳେ ନନ୍ଦିପଦା ପୋଲିସ୍ ଓ ସୋସୋ ପୋଲିସ୍ ଆଜି ପର୍ଯ୍ୟନ୍ତ ଏହି କାରବାର କୁ ରୋକିବାକୁ ସେପରି କିଛି ଠୋସ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଊଛି। ଏଠାରେ ଥିବା ଅବକାରୀ ବିଭାଗ ର ଅଧିକାରୀ ମାନେ ୫/୧୦ଲିଟର ଦେଶୀ ମଦ ଜବଦ କରି ବାହାବା ନେଉଥିବା ବେଳେ ଧଳା ଜହର କାରବାର ଉପରେ କେବେ ସ୍ବତନ୍ତ୍ର ଦୃଷ୍ଟି ଦେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଳା ଅବକାରୀ ଅଧିକ୍ଷକ ଏଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।