ପିତୃମାତୃହୀନ ନେପାଳୀ ଯୁବତୀଙ୍କ ବିଭାଘର କରାଇଲେ ସ୍ୱେଚ୍ଛାସେବୀ

କେନ୍ଦ୍ରାପଡ଼ା: ଜଣେ ପିତୃମାତୃହୀନ ନେପାଳୀ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ପରେ ତାଙ୍କର ବିଭାଘର କରାଇଛନ୍ତି କେନ୍ଦ୍ରାପଡ଼ା ସହରର ସ୍ୱେଚ୍ଛାସେବୀ ସେକ ଲିଆକତ ହୋସେନ। ଯୁବତୀଜଣଙ୍କ ହେଉଛନ୍ତି ଲଳିତା କୁମାରୀ ଓଲି (୨୯)। ସୂଚନା ଅନୁଯାୟୀ ଯୁବତୀ ଜଣଙ୍କୁ ମାତ୍ର ୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଥିଲା। ଯୁବତୀଙ୍କ ଘର ନେପାଳର କାଠମାଣ୍ଡୁରେ। ତାଙ୍କ ବାପା ଶେର ବାହଦୂର କେନ୍ଦ୍ରାପଡ଼ାରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ହଠାତ୍ ଝିଅ ଲଳିତାଙ୍କୁ ୩ବର୍ଷ ବୟସ ହୋଇଥିବା ବେଳେ ଶେର ବାହାଦୂରଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯିବାରୁ ଝିଅର ଲାଳନପାଳନ କରିବା ପାଇଁ ଶେର ବାହାଦୂର କେନ୍ଦ୍ରାପଡ଼ା ସହରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେସୱା ସ୍ୱେଛାସେବୀ ଅନୁଷ୍ଠାନରେ ଝିଅକୁ ଛାଡ଼ିଦେଇଥିଲେ। ଏହାପରେ ଶେର ବାହାଦୂର ଏକ ନେପାଳୀଙ୍କ ବୈଠକରେ ଯୋଗ ଦେବାକୁ ଯାଇ ଆଉ ଫେରିନଥିଲେ। ଲଳିତା ରେସୱା ସହାୟତାରେ ସ୍ଥାନୀୟ ବିଦ୍ୟାଳୟରେ ଅଧ୍ୟୟନ କରି ମାଟ୍ରିକ ଯାଏଁ ପାଠ ପଢିଥିଲେ। ଏହାପରେ ସେ ଧନ୍ଧାମୂଳକ ଶିକ୍ଷା ଗ୍ରହଣ କରି ଆତ୍ମନିର୍ଭରଶୀଳ ହୋଇଥିଲେ। ସହରର ମନକରପୁର ଠାରେ ଏକ ଟେଲରିଂ(ଦରଜୀ) ଦୋକାନ କରିଥିଲେ। ଲିଆକତ ତାଙ୍କୁ ରହିବା ପାଇଁ ଏକ ଘର ବିନା ମୂଲ୍ୟରେ ଯୋଗାଇ ଦେଇଥିଲେ। ଏହାପରେ ସ୍ୱେଚ୍ଛାସେବୀ ଲିଆକତ ଲଳିତାଙ୍କ ପାଇଁ ଏକ ବରପାତ୍ର ଖୋଜିବାରେ ଲାଗିଯାଇଥିଲେ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଗ୍ରାମର ବିଜୟ କୁମାର ବେହେରାଙ୍କ ପୁଅ ରାଜେଶ(୩୦)ଙ୍କ ସହ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି। ବିଜୟ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ଲଳିତାଙ୍କର ମଧ୍ୟ କେନ୍ଦ୍ରାପଡ଼ା ସହର ମନକରପୁର ଠାରେ ଏକ ଟେଲରିଂ ଦୋକାନ ରହିଛିି। ଏହି ବିବାହରେ ରାଜେଶଙ୍କ ପରିବାର ସଦସ୍ୟମାନେ ବେଶ ଖୁସିଥିବା ପ୍ରକାଶ କରିଛନ୍ତି। ଉତ୍ସବରେ ସେକ ଲିଆକତ ହୋସେନ, ଶକ୍ତିସଦନର ଅଧୀକ୍ଷିକା ମିନତୀ ମହାରଣା, ଅମିତ କୁମାର ସାହୁ, ରିଙ୍କୁ ସାହାଣୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ଭାରତୀ ବେହେରା, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ସମିତର ଅନ୍ୟ ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଭଳି ଏକ ମହତ କାର୍ଯ୍ୟ କରାଇଥିବାରୁ ସେକ ଲିଆକତ ହୋସେନଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ