ଶାଳଣିଆଁ ବଜାରରୁ ମଦ ଦୋକାନ ସ୍ଥାନାନ୍ତର ଦାବି
ହାଟଡିହି (ଓ୍ବାଇଏନଏସ): ଶାଳଣିଆଁ ବଜାରରୁ ମଦ ଦୋକାନ ସ୍ଥାନାନ୍ତର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ଶାଳଣିଆଁ ବଜାରରେ ଥିବା ମଦ ଦୋକାନଟି ଡାକ୍ତରଖାନା ଠାରୁ ମାତ୍ର ୨ ଶହ ମିଟର ଦୁର। ଅଧିକାଂଶ ସମୟରେ ମଦ୍ୟପ ମାନଙ୍କ ଉତ୍ପାତ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳୁଛି। ଯାହାଦ୍ୱାରା ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ସେହିପରି ଶାଳଣିଆଁ ମଦ ଦୋକାନ ଠାରୁ ମାତ୍ର ଶହେ ମିଟର ଦୂରରେ ୨ ଦୁଇଟି ସ୍କୁଲ ଅଛି। ତିନିଶହ ମିଟର ଦୂରରେ ଶିବ ମନ୍ଦିର ରହିଛି। ସରକାରଙ୍କ ନିୟମକୁ ଉଲଂଘନ କରାଯାଇ ଏଠାରେ ମଦ ଦୋକାନ ଖୋଲା ଯାଇଛି। ମଦୁଆଙ୍କ ଉତ୍ପାତ ଯୋଗୁଁ ଅନେକ ସମୟରେ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି। ଏପରିକି ଦେବାଳୟକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମଧ୍ୟ ମଦ୍ୟପଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ସନ୍ଧ୍ୟା ହେଲେ ମଦୁଆଙ୍କ ଉତ୍ପାତ ଯୋଗୁଁ ଝିଅ ବୋହୁ ମାନେ ବଜାରକୁ ଆସିବାକୁ ଭୟ କରୁଛନ୍ତି। ତେଣୁ ଶାଳଣିଆଁ ବଜାରଠାରୁ ବହୁ ଦୁରକୁ ମଦ ଦୋକାନ ସ୍ଥାନାନ୍ତର କରିବାକୁ ନୀଳକଣ୍ଠ ମହାକୁଡ଼, ବସନ୍ତ ଦେହୁରୀ, ମାନସ ବେହେରା, ସରୋଜ ନାୟକ, ବୁଲୁ ରାଉତ, କୁନୁ ସେଠୀ, ଭୀମସେନ ଜେନା ପ୍ରମୁଖ ଦାବି କରିଛନ୍ତି। ଏନେଇ ସେମାନେ କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଦାବିପତ୍ର ପଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


