ଚୌଦ୍ୱାର ଜେଲ୍ର ସିସି କ୍ୟାମେରା ଫୁଟେଜ୍ ଗାଏବ
କଟକ (ଓ୍ବାଇଏନଏସ): କମିସନରେଟ୍ ପୁଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ । ଜେଲ୍ ସିସି କ୍ୟାମେରା ଫୁଟେଜ୍, ଦସ୍ତାବିଜ୍ ଗାଏବ୍ । ଫସିଯିବେ ଜେଲ୍ ଡିଜି, ଅଧୀକ୍ଷକ! ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଏତଲାକୁ ନେଇ ପୁଲିସର ଷ୍ଟେସନ୍ ଡାଏରି । ଚୌଦ୍ବାର ସର୍କଲ ଜେଲ୍ରୁ ଦୁଇ ବିହାରୀ ଅପରାଧୀ ଫେରାର ଘଟଣାରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପକ୍ଷରୁ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ଚୌଦ୍ବାର ସର୍କଲ ଜେଲ୍ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଥାନା ଏତଲା ପରେ ଜେଲ୍ ବିଭାଗରେ ହଡ଼କମ୍ପ ସୃଷ୍ଟି ହୋଇଛି ।ପୂର୍ବରୁ ଚୌଦ୍ବାର ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ରୁଜୁ ମାମଲା ଆଧାରରେ ପୁଲିସ ଯେଉଁ ଦସ୍ତାବିଜ ଥାନାରେ ଦାଖଲ କରିବାକୁ ଶ୍ରୀ ରାଉଳଙ୍କୁ କହିଥିଲା କୌଣସି ଗୋଟିଏ ବି ଦସ୍ତାବିଜ ଦାଖଲ କରିନାହାନ୍ତି । ୬ଥର ପୁଲିସ ରିମାଇଣ୍ଡର୍ ଦେବା ପରେ ବି ଶ୍ରୀ ରାଉଳ ଦୁଇ ବିହାରୀ ଅପରାଧୀ ଫେରାର ଘଟଣା ପୂର୍ବ ଓ ପରର ସିସି କ୍ୟାମେରା ଫୁଟେଜ୍ ସମେତ ଜେଲ୍ ଦସ୍ତାବିଜ ଦାଖଲ କରିନାହାନ୍ତି । କାର୍ଯ୍ୟାନୁଷ୍ଠାନ ଭୟରେ ସେ ଏ ସବୁ ଗାଏବ୍ କରିଦେଇଥିବା ଚୌଦ୍ବାର ପୁଲିସ ସନ୍ଦେହ କରୁଛି । ରାଜ୍ୟସଭା ସାଂସଦ ସୁଜିତ କୁମାର ଜେଲ୍ ଡିଜି ଓ ଅଧୀକ୍ଷକ ଶ୍ରୀ ରାଉଳଙ୍କ ବିରୋଧରେ ଚୌଦ୍ବାର ଥାନା ଆଇଆଇସିଙ୍କୁ ଇ-ମେଲ୍ ଯୋଗେ ପଠାଇଥିବା ଏତଲା ଆଧାରରେ ପୁଲିସ ଏକ ଷ୍ଟେସନ ଡାଏରି କରିଛି । ପୁଲିସ ସାଂସଦ ସୁଜିତ କୁମାରଙ୍କ ସହିତ ଯୋଗାଯୋଗରେ ଥିବାବେଳେ ଖୁବ୍ଶୀଘ୍ର ମାମଲା ରୁଜୁ ନେଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।


