ଖାଉଟି ସାମଗ୍ରୀର ଉପ-ବିତରଣ କେନ୍ଦ୍ର ଖୋଲିବା ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତର ପୋକାମୂଳ, ବ୍ରାହ୍ମଣୀଗାଁରେ ଖାଉଟି ସାମଗ୍ରୀର ଏକ ଉପ-ବିତରଣ କେନ୍ଦ୍ର ଖୋଲିବା ପାଇଁ ଗ୍ରାମବାସୀମାନେ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପବିତ୍ର ବେହୁରା, ଉଲ୍ଲାସ ବେହୁରା, ମିଥୁନ ରାଉତ,ସୁଧାକର ବେହୁରା, ରାଜୁ ନାୟକ, ରୋହିତ କୁମାର ନାୟକ, ଳଳିତ ସାହୁଙ୍କ ସମେତ ୫୦ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ସ୍ୱାକ୍ଷରରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ମୁତାବକ ଆମ ଗ୍ରାମ ଠାରୁ ମୁଖ୍ୟ ବିତରଣ କେନ୍ଦ୍ର ପାଖାପାଖି ୭ କି.ମିରୁ ଉର୍ଦ୍ଧ୍ୱ ଦୁରତାରେ ରହିଅଛି। ଦେବୀନଦୀର ଅପର ପାଶ୍ୱର୍ରେ ଆମ ଗ୍ରାମ ରହିଥିବାରୁ ଏହି ରାସ୍ତା ଦେଇ ପ୍ରତ୍ୟହ ବାଲି ସୈରାତରୁ ଶହ ଶହ ବାଲି ଗାଡି ଯାତାୟତ କରୁଛି। ଯାହାଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ସରକାରଙ୍କ ନିୟମାନୁସାରେ ପ୍ରତି ହିତାଧିକାରୀ ଇ-ପିଓଏସ ମେସିନରେ ସେମାନଙ୍କର ଆଙ୍ଗୁଠି ଛାପ କିମ୍ବା ଆଖି ଛାପ ଦେବା ପରେ ତାଙ୍କୁ ଖାଉଟି ସାମଗ୍ରୀ ପ୍ରଦାନ କରାଯିବ। ତେଣୁ ଯେଉଁ ପରିବାରରେ ମହିଳା, ବୃଦ୍ଧବୃଦ୍ଧା ଓ ଛୋଟ ପିଲା ଉକ୍ତ ସାମଗ୍ରୀ ଆଣିବା ପାଇଁ ଯାଉଛନ୍ତି ଅଧିକ ବାଟ ଓ ବାଲିଗାଡି ଯିବା ଆସିବା ଯୋଗୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଆମ ଗ୍ରାମରେ ଏକ ଉପ-ବିତରଣ କେନ୍ଦ୍ର ଖୋଲା ଗଲେ ହିତାଧିକାରୀମାନେ ସୁବିଧାରେ ସାମଗ୍ରୀ ପାଇ ପାରିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଭାରାପ୍ରାପ୍ତ ବିଡିଓ ଆଶୁତୋଷ ମିଶ୍ରଙ୍କ ଅନୁପସ୍ଥିତିରେ ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।