ଟୁରିଷ୍ଟ ମାର୍କେଟ ସାମ୍ନାରେ ଗୃହ ନିର୍ମାଣ ନେଇ ଅଟୋ ଚାଳକଙ୍କ ଧାରଣା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ଟୁରିଷ୍ଟ ମାର୍କେଟ ଛକ ନିକଟରେ ଅଟୋଷ୍ଟାଣ୍ଡକୁ ଜବରଦଖଲ ଓ ବେଆଇନ୍ ଗୃହ ନିର୍ମାଣ ନେଇ ଅଟୋ ଚାଳକ ମାନେ କୋଣାର୍କ ରାଜ୍ଵସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କରିଛନ୍ତି। ସୂଚନା ଅନୁଯାୟୀ କୋଣାର୍କରେ ପର୍ଯ୍ୟଟକଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଶତାଧିକ ଅଟୋ ଚାଳକ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ଟୁରିଷ୍ଟ ମାର୍କେଟ ଛକ ନିକଟରେ ସଙ୍ଘ ପକ୍ଷରୁ ଏକ ଅସ୍ଥାୟୀ ଅଟୋ ଷ୍ଟାଣ୍ଡ କରି ସେଠାରେ ଗାଡି ରଖି ବିଶ୍ରାମ ନିଅନ୍ତି। କିନ୍ତୁ କିଛି ବ୍ୟକ୍ତି ବିଶେଷ ସରକାରୀ ଜମି ଜବରଦଖଲ କରି ଉକ୍ତ ଜାଗାରେ ବେଆଇନ୍ ଗୃହ ନିର୍ମାଣ କରୁଛନ୍ତି। ଅଟୋ ରଖିବା ପାଇଁ ଜାଗା ନଦେଇ ଅସଭ୍ୟ ବ୍ୟବହାର କରୁଛନ୍ତି। ଏନେଇ ଅନେକବାର ଅଟୋ ଚାଳକ ସଙ୍ଘ ପକ୍ଷରୁ ସ୍ଥାନୀୟ ପ୍ରଶାସନ, ତହସିଲ କୁ ବାରମ୍ଵାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାକୁ ପ୍ରତିବାଦ କରି ଗୁରୁବାର ପୂର୍ବାହ୍ନରେ ଶତାଧିକ ଅଟୋ ଚାଳକ ମାନେ କୋଣାର୍କ ରାଜ୍ଵସ ନିରିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କରିଛନ୍ତି। ବେଆଇନ୍ ଗୃହ ନିର୍ମାଣ ବନ୍ଦ କରିବା ଓ ଅଟୋ ଚାଳକ ସଙ୍ଘ ପାଇଁ ଜମି ଯୋଗାଇ ଦେବାକୁ ଦାବି କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେଗୋପ ତହସିଲଦାର ଅନିଲ କୁମାର ମହାନ୍ତି ଓ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପହଞ୍ଚି ଅଟୋ ଚାଳକ ମାନଙ୍କୁ ବୁଝାସୁଝା କରିଛନ୍ତି। ବେଆଇନ୍ ଗୃହ ନିର୍ମାଣ ବନ୍ଦ କରିବାକୁ ନିର୍ଦେଶ ଦେବା ସହ ଆଗାମୀ ଦିନରେ ଅଟୋ ଚାଳକ ସଙ୍ଘ ପାଇଁ ଆବଶ୍ୟକ ଜମି ନିମନ୍ତେ ଚିନ୍ତା କରାଯିବ ବୋଲି କହିଥିଲେ। ଅନ୍ୟପଟେ ତହସିଲଦାର କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ଆହୁରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ସଭାପତି ଶ୍ରୀକାନ୍ତ ନାୟକ, ସଂପାଦକ ନଟରାଜ ପରିଡ଼ା , କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବାରିକ, ଗୌରାଙ୍ଗ କାଣ୍ଡି , ରଞ୍ଜନ ବେହେରା, ବିଜୟ ନାୟକ, ରବୀନ୍ଦ୍ର ବେହେରା, ସୁରେନ୍ଦ୍ର ପାତ୍ର, ସମୀର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ