କେନାଲ ଥାଇ ଚାଷ ଜମିକୁ ମାଡୁନି ପାଣି: ଚାଷୀ ଭୋଗୁଛନ୍ତି ସମସ୍ୟା
ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ନେଇ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଓ ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସରକାରୀ ଯୋଜନା ସଫଳ ରୂପାୟନ ହୋଇପାରୁନାହିଁ । ଫଳରେ ଚାଷୀ ମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ଅଭିଯୋଗ ଆସିଛି ଶାଳପଡା ବୈତରଣୀ ଜଳ ସେଚନ ଡିଭିଜନ ତଥା ଶାଳନିଆ ସବ୍ ଡିଭିଜନ୍ ତଥା ବନ୍ତ ସେକ୍ସନ ଅଧିନ ଗୋବିନ୍ଦପୁର ଓ ବାଲିଗଢିଆ ମାଇନର କେନାଲ ବିରୁଦ୍ଧରେ । ଏଠାରେ ଦୁଇ ଗୋଟି କେନାଲ ଥିଲେ ମଧ୍ୟ ଚାଷ ଜମିକୁ ପାଣି ମାଡୁ ନଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଶାଳପଡା ବୈତରଣୀ ଜଳ ସେଚନ ଡିଭିଜନ୍ ତଥା ଶାଳନିଆ ସବ୍ ଡିଭିଜନ ତଥା ବନ୍ତ ସେକ୍ସନ ଅଧିନରେ ଗୋବିନ୍ଦପୁର ମାଇନର ଓ ବାଲିଗଢିଆ ମାଇନର ଦୁଇଟି କେନାଲ ରହିଛି । ହାଟଡିହୀ ଶାଖା କେନାଲରୁ ଏହି ଦୁଇ ମାଇନର ବାହାରିଛି । ଏହି ଦୁଇ ମାଇନର କେନାଲ ଅଧିନରେ ଶହ ଶହ ଏକର ଚାଷ ଜମି ରହିଛି । ଏହି ଦୁଇ କେନାଲରେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଯୋଗୁ ବହୁ ସ୍ଥାନରେ କେନାଲ ବନ୍ଧ ଭାଙ୍ଗି ନଷ୍ଟ ହୋଇଯାଇଛି । ସେହିପରି କେନାଲ ବେଡ୍କୁ ଅତି ଗଭୀର କରାଯାଇଛି । ଫଳରେ ଚାଷ ଜମିକୁ ପାଣି ଯିବା ପରିବର୍ତ୍ତେ ଚାଷ ଜମିର ପାଣି କେନାଲ ଭିତରକୁ ଯାଉଛି । ଫଳରେ ଚାଷୀ ମାନେ ଚାଷ କରି ପାରୁନାହାନ୍ତି । ଏନେଇ ଚାଷୀ ମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଫଳରେ ଚାଷୀ ମାନେ ବାଧ୍ୟ ହୋଇ ଚାଷ ଛାଡିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ବନ୍ତ ତହସିଲ ଅଧିନ ବେଗନା ଗ୍ରାମର ଚାଷୀ କାଶିନାଥ ଖଣ୍ଡେଇ ବିଭାଗୀୟ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଶେଷରେ ସେ ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ଶାଳପଡା ଜଳ ସେଚନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଛନ୍ତି । ଉପରୋକ୍ତ ସମସ୍ୟାକୁ ଗୁରୁତ୍ୱ ଦେଇ କେନାଲକୁ ତୁରନ୍ତ ମରାମତି କରିବାକୁ ସେ ଦାବୀ କରିଛନ୍ତି ।