ବିଜେ ପରେ ହେବ ଦଶମୂଳ ମୋଦକଲାଗି

ସନ୍ତୋଷ କୁମାର ଦାଶ

ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପଡ଼ି ଅସୁସ୍ଥ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ମହାପ୍ରଭୁ ଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କ ଅଣସରକାଳୀନ ଗୁପ୍ତନୀତି ସଂପାଦନ କରୁଛନ୍ତି। ଏକବସ୍ତ୍ର ହୋଇ ଅଣସର ବାସ ଠାରୁ ଦୈନିନ୍ଦିନ ସମସ୍ତ ନୀତି ସଂପାଦନ କରୁଛନ୍ତି। ଶ୍ରୀଅଙ୍ଗରେ ଲାଗି ହୋଇଛି ବିଭିନ୍ନ ପ୍ରକାର ଚେରମୂଳିରୁ ପ୍ରସ୍ତୁତ ଫୁଲୁରି ତେଲ ଆଉ ଓଷୁଅ। ଆଜି ( ଶନିବାର ) ଅଣସର ଦଶମୀ ଓ ଖଳୀ ଲାଗି ଏକାଦେଶୀ ଏକତ୍ର ପଡ଼ି ଥିବାରୁ ବିଧି ମୁତାବକ ଅଣସର ରେ ଥିବା ତିନିଠାକୁର ଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବା ସହ ଶ୍ରୀମନ୍ଦିର ବୈଦ୍ୟ ଙ୍କ ଦ୍ବାରା ଦଶମୂଳ ରେ ପ୍ରସ୍ତୁତ ମୋଦକ ଲାଗି ହେବ।
ଏଥିସହ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବେ। ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବ । ବିଶ୍ରାମ କରୁଥିବା ମହାପ୍ରଭୁ ଆଜି ଚକା ଉପରେ ବିଜେ କରିବେ । ଶ୍ରୀମନ୍ଦିରର ଅନବସର ଗୃହରେ ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଚକା ଉପରେ ବିଜେ କରାଯିବ। ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ ହେବା ସ୍ଥିତି ଫଳରେ ମହାପ୍ରଭୁଙ୍କର ସୁସ୍ଥତାର ପରିଚୟ ମିଳିବ । ଚକା ବିଜେ ହେବା ପରେ ଶ୍ରୀମନ୍ଦିରକୁ ଦଶମୂଳ (ମୋଦକ) ବିଜେ କରାଯିବ। ପ୍ରଭୁଙ୍କ କବିରାଜ ମାନେ ଏହି ଔଷଧକୁ ଦୀର୍ଘଦିନ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ କରି ଥିଲେ। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ କରାଯାଇଥିଲା। ଏକାଦଶୀ ତିଥି ରେ ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି। ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକ ମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧୀ ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି। ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୂତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ। ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଥାଏ। ବିଭିନ୍ନ ସ୍ଥାନରୁ ଏହି ଦୁର୍ଲଭ ଚେରମୂଳି କୁ ବୈଦ୍ୟମାନେ ସଂଗ୍ରହ କରିଥାନ୍ତି । ଧନ୍ଵନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି। ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ,ଲବିଂ କୋଳି , ନବାଙ୍କୁରୀ କୁ ପ୍ରଥମେ ଶୁଖା ଯାଇଥାଏ । ପରେ ଏହାକୁ କୁଟାଯାଇ ଗୁଣ୍ଡ କରାଯାଇ ଥାଏ । ଏହି ଗୁଣ୍ଡ କୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସାଯାଇ ଖୁଆ , ଶର୍କରା , ସର , ମହୁ , ଘିଅ ଆଦି ପକାଯାଇ ଏହାକୁ ପାଗ କରାଯାଏ।ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ । ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆ ରେ ରଖା ଯାଇଥାଏ । ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦ ରେ ଦାଖଲ କରାଯାଇଥାଏ । ଜଟିବୁଟିରେ ପ୍ରସ୍ତୁତ ମୋଦକ (ଔଷଧ)ରେ ଅଣସର ପିଣ୍ଡିରେ ଠାକୁରଙ୍କ ଉପଚାର କରାଯିବ। ଏକାଦଶୀ ଦିନ ମୋଦକ ଲାଗି ହେବା ସହ ପ୍ରଥମ କରି ଅଣସରରେ ଥିବା ମହାପ୍ରଭୁଙ୍କୁ ତୁଳସୀ ଲାଗି କରାଯିବାର ପରମ୍ପରା ରହିଛି।ମହାପ୍ରଭୁ ଙ୍କୁ ଚନ୍ଦନ ଲାଗି ସହିତ ନୂଆ ଖଣ୍ଡୁଆ ମଧ୍ୟ ଲାଗି କରାଯିବ। ଏଥିପୂର୍ବରୁ ଠାକୁର ମାନଙ୍କୁ ଫୁଲରି ତେଲ ଲାଗି ହୋଇ ସାରିଛି। ଦଶମୂଳ ମୋଦକ ଲାଗି ହେବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ