ଚକ୍ରୋଡା ଗ୍ରାମପଞ୍ଚାୟତରେ ବ୍ୟାପୁଛି ଡାଇରିଆ : ପ୍ରତିଷେଧକ ବ୍ୟବସ୍ଥା ପାଇଁ କଂଗ୍ରେସର ଦାବି
କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ଚକ୍ରୋଡା ଓ ମୁଣ୍ଡାପଡାରେ ବ୍ୟାପିଥିବା ଡାଇରିଆ ରୋଗର ତୁରନ୍ତ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏନେଇ ବରିଷ୍ଠ କଂଗ୍ରେସ ନେତା ଭାଗିରଥୀ ଜେନା ଓ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ସଶ୍ମିତା ପଣ୍ଡା ମଙ୍ଗଳବାର ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଓ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ପିଡିତ ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି କରିଥିଲେ। ଏହାବ୍ୟତିତ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ଭେଟି ଉପଯୁକ୍ତ ଚିକିତ୍ସା ସେମାନଙ୍କୁ ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ସଂପୃକ୍ତ ଗ୍ରାମରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଉଭୟ ନେତା ଲୋକମାନଙ୍କୁ ଏସମ୍ପର୍କରେ ସଚେତନ କରାଇଥିଲେ। ଏହାସହ ସେଠାରେ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ସହଯୋଗ ଓ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ।


