ପାଣି ଘେରରେ ଆଡିଆ ଗିରିଧାରୀ ନଗର
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ରାତିରୁ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଏହି ବ୍ଲକ ଦେଇ ପ୍ରଭାହିତ କପାଳୀ ଓ ରେବ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ବର୍ଷାରେ ବିଭିନ୍ନ ତଳିଆ ଅଞ୍ଚଳ ଗୁଡିକରେ ପାଣି ଜମି ରହିବା ଯୋଗୁ ଲୋକେ ଅସୁବିଧା ଭୋଗ କରୁଥୁବାର ଦେଖା ଯାଇଛି । ବର୍ଷା ଯୋଗୁ ବିଶେଷ କରି ବନ୍ତ-ଆଗରପଡା ପୂର୍ତ୍ତ ବିଭାଗ ରାସ୍ତାର ଆଡିଆ ହାଇସ୍କୁଲ୍ ଛକ ଠାରୁ ଗିରିଧାରୀ ନଗର ଗ୍ରାମକୁ ଯାଇଥିବା ରାସ୍ତାଟି ଜଳାର୍ଣ୍ଣବ ହୋଇଯାଇଛି । ଫଳରେ ଗ୍ରାମର ଲୋକେ ଓ କୋମଳମତୀ ଛାତ୍ରଛାତ୍ରୀ ମାନେ ଘରୁ ବାହାରକୁ ବାହାରି ପାରି ନାହାନ୍ତି । ଗ୍ରାମର ମହେନ୍ଦ୍ର ଖୁଣ୍ଟିଆ, ତପନ ଖୁଣ୍ଟିଆ ଓ ଅଭୟ ଜେନାଙ୍କ ଘରେ ବର୍ଷା ପାଣି ପଶିଛି । ଗ୍ରାମଟି ସମ୍ପୂର୍ଣ୍ଣ ପାଣି ଘେରରେ ରହିବା ଯୋଗୁ ଗଦାଧର ଜେନା, କାହ୍ନୁ ଚରଣ ଖୁଣ୍ଟିଆ, ବଂଶୀଧର ଜେନା, ଜିତେନ୍ଦ୍ର ଜେନା, କାଳନ୍ଦୀ ଖୁଣ୍ଟିିଆ, ଗଣେଶ ଜେନା, ନିରଞ୍ଜନ ଜେନା, କାଳନ୍ଦୀ ଜେନାଙ୍କ ସମେତ ୩୦ ପରିବାରର ଶତାଧିକ ଲୋକେ ପାଣି ଘେରରେ ରହିଛନ୍ତି । ଗ୍ରାମ ରାସ୍ତାରେ ପାଣି ବୁଡି ରହିବା ଫଳରେ ନିକଟସ୍ଥ ଆରଡେଶ୍ୱର ହାଇସ୍କୁଲ୍, ଆଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଗ୍ରେଡ୍ ସୈନିକ ସ୍କୁଲ୍ ସମେତ ନିକଟସ୍ଥ ନିଳୋକ ଆଦର୍ଶ ବିଦ୍ୟାଳୟ, ବନ୍ତ, ଆଗରପଡା ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଯିବାରେ ଅସୁବିଧା ଭୋଗ କରିଛନ୍ତି । ଆଡିଆ ହାଇସ୍କୁଲ୍ ଛକ ଠାରେ ଥିବା ପୁରାତନ ହୋମ ପାଇପ ପୋତି ହୋଇ ଯାଇଥିବାରୁ ଆଜକୁ ୨ ବର୍ଷ ହେବ ଜଳ ନିଷ୍କାସନ ହୋଇ ପାରୁନାହିଁ । ଯାହା ଫଳରେ ବର୍ଷା ଋତୁରେ ଗ୍ରାମର ଲୋକେ ଏପରି ସମସ୍ୟା ଭୋଗୁଛନ୍ତି । ସମ୍ପୃକ୍ତ ବିଭାଗ ପକ୍ଷରୁ ତୁରନ୍ତ ନୂତନ ହୋମ ପାଇପ ବସାଇବା ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଯୁବ ସମାଜସେବୀ ବିଶ୍ୱନାଥ ଜେନା ଦାବୀ କରିଛନ୍ତି । ଏନେଇ ସେ ବିଧାୟକ ସଞ୍ଜିବ ମଲ୍ଲିକ୍, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ସମେତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଉପରୋକ୍ତ ସମସ୍ୟା ନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ନବଘନ ମାରାଣ୍ଡିକୁ ଯୋଗାଯୋଗ କରା ଯାଇଥିବା ବେଳେ ରାସ୍ତା କାମ ଚାଲିଛି ଆଡିଆ ଠାରେ ଥିବା ପୁରୁଣା ହୋମ ପାଇପକୁ ଖୋଳାଯାଇ ନୂତନ ଓସାରିଆ ହୋମ ପାଇପ ଖୁବ୍ଶିଘ୍ର ପକାଯାଇ ସମାଧାନ କରାଯିବ ବୋଲି କହିଛନ୍ତି ।