ରାୟଗଡ଼ା ପୌରପରିଷଦରେ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ ଶୁଭାରମ୍ଭ
ରାୟଗଡ଼ା , ( ଯୋଗେଶ୍ଵର ଦାସ ): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସ ଏସ ଇ ପି ଡି) ଏବଂ ରାୟଗଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ରାୟଗଡ଼ା ପୌରପରିଷଦ ସ୍ତରୀୟ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (Unified Pension Management Portal–ୟୁପିଏମପି)ର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରରେ ଏହି ଜନକଲ୍ୟାଣକାରୀ ଡିଜିଟାଲ୍ ପୋର୍ଟାଲର ଶୁଭାରମ୍ଭ ଅବସରରେ, ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ଦ୍ରୁତ କରିବା ଲକ୍ଷ୍ୟରେ ରାୟଗଡ଼ା ପୌରପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ପୌରପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ଶ୍ରୀ ପି. ମହେଶ ପଟ୍ଟନାୟକ, ପୌରପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଶ୍ରମିତା ପାଢ଼ୀ, ଉପଜିଲ୍ଲାପାଳ ରାୟଗଡ଼ା ତଥା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ମୃଣାଲିକା ରାଠୋଢ଼ (ଭା.ପ୍ର.ସେ.) ଏବଂ ପୌରପରିଷଦର ପାରିଷଦବୃନ୍ଦ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡି ଏସ ଏସ ଓ) ଶ୍ରୀମତୀ ଏଲିଜାବେଥ୍ ଗୋରଡ଼ା ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (ଏସ ଏସ ଓ) ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ଅତିଥିମାନେ ଉପସ୍ଥିତ ହିତାଧିକାରୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ନୂତନ ୟୁପିଏମପି ପୋର୍ଟାଲ (upmp.odisha.gov.in) ମାଧ୍ୟମରେ ମଧୁବାବୁ ପେନସନ୍ ଯୋଜନା (ଏମ୍ ବି ପି ୱାଇ) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସପି) ଅଧୀନରେ ଥିବା ସମସ୍ତ ଭତ୍ତା ସେବା ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହାଦ୍ୱାରା ଯୋଗ୍ୟ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନେ ଅନଲାଇନ୍ ଆବେଦନ, ଆଧାରଭିତ୍ତିକ ଇ କେୟାଇସି ଯାଞ୍ଚ ଏବଂ ନିଜ ପେନସନ୍ର ସ୍ଥିତି ସମ୍ପର୍କରେ ସହଜରେ ଜାଣିପାରିବେ। ଏହି ବ୍ୟବସ୍ଥା ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁବିଧାଜନକ ଓ ତ୍ୱରାନ୍ୱିତ କରିବା ସହ ହିତାଧିକାରୀଙ୍କ ଅପେକ୍ଷା ସମୟ ହ୍ରାସ କରିବ। ଏହି ଅବସରରେ ନୂତନ ଭତ୍ତା ଖାତା ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମରେ ନୂତନ ଭାବେ ଅନ୍ତର୍ଭୁକ୍ତ ୩୮୦ ଜଣ ହିତାଧିକାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ଭତ୍ତା ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ୟୁପିଏମପି ପୋର୍ଟାଲର ବ୍ୟବହାର ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରିବା ସହ ପୌରପରିଷଦ କାର୍ଯ୍ୟାଳୟ ଓ ଜନସେବା କେନ୍ଦ୍ର (ସି ଏସ ସି) ମାଧ୍ୟମରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ। ଶ୍ରୀ ମିଲନ ଗଣନାୟକ ମଞ୍ଚ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାବେଳେ, ଶ୍ରୀ ତ୍ରୈଲୋକ୍ୟ ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା।


