ବିଜ୍ଞାନ ମହାବିଦ୍ୟାଳୟରେ ଯୁଗ୍ମ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ପୋଲସରା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୨୦୨୫ ଜୁନ ୩୦ ତାରିଖ ଦିନ ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବଦଳି ହୋଇଥିବା ତିନି ଜଣ ଅଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଆସୁଥିବା ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଳ ଜୁନ ୩୦ ତାରିଖରେ ଅବସର ନେଇଥିବା ବେଳେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ନାୟକ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ତିନି ଜଣ ଅଧ୍ୟାପକ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରୁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟତ୍ର ବଦଳି ହୋଇଛନ୍ତି। ଅର୍ଥନୀତି ବିଭାଗ ଅଧ୍ୟାପକ ରାକେଶ କୁମାର ପ୍ରଧାନ, ଇତିହାସ ବିଭାଗ ଅଧ୍ୟାପକ ଶାନ୍ତନୁ କୁମାର ପ୍ରଧାନ ଓ ଗଣିତ ବିଭାଗ ଅଧ୍ୟାପକ ବିଶ୍ଵନାଥ ଚୌଧୁରୀ କଲେଜରୁ ବଦଳି ହୋଇଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ ରବିନ୍ଦ୍ର ନାଥ ପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେ ନିଜ ଜୀବନର ସୁଖ ଦୁଃଖକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ନୂତନ ଭାବେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡକ୍ଟର ବିରଞ୍ଚି ନାରାୟଣ ରଥ ସଂଯୋଜନା କରିଥିବା ବେଳେ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପକ ବିକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।