ଆଜିଠୁ ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
କଟକ,(ଓ୍ବାଇଏନଏସ) : ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇଛି ବୋଲି ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି । ୬ଟି ବିଷୟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ୨୦୨୫ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍ ଏବଂ ଏମ୍ପି (Malpractice) ହୋଇଥିବା ପରୀକ୍ଷାର୍ଥୀମାନେ ଏହି ପରୀକ୍ଷା ଦେବେ । ତେବେ ଚଳିତ ବର୍ଷ ସମୁଦାୟ ୧୪ ହଜାର ୧୦୯ ଜଣ ପରୀକ୍ଷାର୍ଥୀ ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାପାଇଁ ଆବେଦନ କରିଛନ୍ତି । ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୧୦୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ୨ଟି ଯାକ ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଖାତା ଆଦି ପହଞ୍ଚି ସାରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷାର୍ଥୀଙ୍କ ସଂଖ୍ୟା କମ୍ ରହିଥିଲେ ମଧ୍ୟ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ଯେପରି କୌଣସି ବିଭ୍ରାଟ ନହୁଏ ସେଥିଲାଗି ସେଣ୍ଟର୍ ସୁପରିଟେଣ୍ଡେଣ୍ଟ୍ଙ୍କୁ ସତର୍କ କରାଯାଇଛି । ଜୁଲାଇ ୧ରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୦ ତାରିଖରେ ଶେଷ ହେବ । ୧୫ ତାରିଖରୁ ମୂଲ୍ୟାୟନ ତଥା ପରୀକ୍ଷା ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି । ସେହିପରି ଏକ ମାସ ମଧ୍ୟରେ ଫଳ ପ୍ରକାଶ କରାଯିବ । ବଡ଼ କଥା ହେଉଛି ଏହି ପରୀକ୍ଷାରେ ଯେଉଁ ପରୀକ୍ଷାର୍ଥୀମାନେ କୃତକାର୍ଯ୍ୟ ହେବେ ସେମାନେ ମଧ୍ୟ ଚଳିତ ବର୍ଷ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିପାରିବେ । ସାର୍ଟିଫିକଟ ମଧ୍ୟ ସମାନ ରହିବ । ସେମାନଙ୍କର ଗୋଟିଏ ବର୍ଷ ନଷ୍ଟ ହେବ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇଛନ୍ତି । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, “ଜୁଲାଇ ୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ୧୫ରୁ ଖାତାଦେଖା ଆରମ୍ଭ ହେବ । ମାସେ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପାସ କରିଥିବା ପରୀକ୍ଷାର୍ଥୀମାନେ ଏବର୍ଷ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିପାରିବେ ।”