ଜଗଦଳପୁର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମେଗା ଚାରାରୋପଣ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଧୀନସ୍ଥ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଜାତୀୟ ସବୁଜ ବାହିନୀର ସଂଯୋଜିକା ତଥା ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରା, ବନରକ୍ଷୀ ବିଷ୍ଣୁପ୍ରିୟା ପ୍ରଧାନ, ସମାଜସେବୀ ପି.ସୁନେଶ୍ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଚାରାରୋପଣର ଆବଶ୍ୟକତା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରି ଗଛ ଆମ ଜୀବନ, ଦିଏ ଆମକୁ ପାଣିପବନର ବାର୍ତ୍ତାକୁ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ କରି ସାଂପ୍ରତିକ ପରିସ୍ଥିତିରେ ପରିବେଶର ସୁରକ୍ଷା ପାଇଁ ଅଧିକରୁ ଅଧିକ ଚାରାରୋପଣର ଆବଶ୍ୟକତା ଅତ୍ୟନ୍ତୁ ଜରୁରୀ ହୋଇପଡିଥିଲା ବେଳେ ଏଥିପାଇଁ ନିଜେ ଗଛ ଲଗାଇବା ସହ ଅନ୍ୟକୁ ଗଛ ଲଗାଇବାକୁ ସଚେତନ କରିବାକୁ ଆହ୍ୱାନ କରାଯାଇଥିଲା । ଜଗଦଳପୁର ଉଚ୍ଚ ବିଦ୍ୟାଳୟର ଗୁଣ୍ଠପଡାର ଜାତୀୟ ସବୁଜ ବାହିନୀର ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ଏ.ମନ୍ଦାକିନୀ ପ୍ରଧାନ, ଜି.ଆନନ୍ଦ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପରିବେଶବିତ୍, ଗ୍ରାମବାସୀ ପ୍ରମୁଖ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡା ପରିସରରେ ବିଭିନ୍ନ କିସମର ଔଷଧିୟ ଚାରା ରୋପଣ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରା ରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଥିଲା ।