ହେଉନି ଶିକ୍ଷକ ନିଯୁକ୍ତି, ବନ୍ଦ ହେବାକୁ ବସିଛି ଗୋଟିଏ ପରେ ଗୋଟିଏ ସ୍କୁଲ

ହାଟଡିହି (ଓ୍ବାଇଏନଏସ):  ସରକାର ପରିବର୍ତ୍ତନ ହେଲା, ହେଲେ ପୁର୍ବ ସରକାର ସମୟରେ ଲଗୁ କରିଥିବା ନିୟମରେ କିଛି ବି ପରିବର୍ତ୍ତନ ହେଲାନି। ସେତେବେଳେ ବିଭିନ୍ନ ସ୍କୁଲକୁ ଭାଗ ଭାଗ କରି ବିଭିନ୍ନ ନିୟମ ଲାଗୁ କରିଦେବା ଦ୍ୱାରା ଏହି ସବୁ ସ୍କୁଲ ରେ ଶିକ୍ଷକ ନିଯୁକ୍ତି ହେଉ ନଥିବାରୁ ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ ହେବକୁ ବସିଛି। ଏଥିପ୍ରତି ସରକାରଙ୍କ ଚିନ୍ତା ନାହିଁ। ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ସେତେବେଳେ କି ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ସହଯୋଗରେ ଖୋଲା ଯାଇଥିଲା ଏହି ସବୁ ସ୍କୁଲ। ଦୂର ଦୁରାନ୍ତକୁ ଯାଇ ଛୋଟ ଛୋଟ ଛୁଆମାନେ ପାଠ ପଢ଼ି ପାରୁନଥିବା କାରଣରୁ ଅନେକ ପିଲା ପାଠ ଛାଡୁଥିଲେ। ତେଣୁ ଗାଁ ରେ ସ୍କୁଲ ହେଲେ ସମସ୍ତେ ଶିକ୍ଷା ଲାଭ କରିପାରିବେ। ଏହି ଲକ୍ଷ ନେଇ ଖୋଲା ଯାଇଥିବା ସ୍କୁଲ ବନ୍ଦ ହେବାକୁ ବସିଛି। ହାଟଡିହି ବ୍ଲକରେ ୨୫ଟି ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଥିବା ବେଳେ ୧୨ଟି ପୁର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍କୁଲ କାର୍ଯ୍ୟକ୍ଷମ ହେଉଥିଲା। କେଉଁଠି ୩୦ବର୍ଷ ତ ଆଉ କେଉଁଠି ୩୫ବର୍ଷ ଧରି ଶିକ୍ଷାଦାନ ଚାଲୁଥିଲା। ଏହି ବିଦ୍ୟାଳୟ ମାନଙ୍କରୁ ଶିକ୍ଷା ଲାଭ କରି ଏବେ ଅନେକ ଛାତ୍ର ଛାତ୍ରୀ ବଡ ବଡ ସରକାରୀ ପଦ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି। କିନ୍ତୁ ଗତ ସରକାର ସମୟରେ ଏହି ସବୁ ସ୍କୁଲ ରେ ନୂତନ ଶିକ୍ଷକ ନିଯୁକ୍ତି ବନ୍ଦ କରିଦେଲେ। ଫଳରେ ଏଠାରେ କାର୍ଯ୍ୟରତ ଶିକ୍ଷକ ମାନେ ଅବସର ନେବା ପରେ ଶିକ୍ଷାଦାନ ପାଇଁ ଶିକ୍ଷକ ନଥିବାରୁ ସ୍କୁଲ ଗୁଡ଼ିକ ବନ୍ଦ ହୋଇ ହୋଇ ଯାଉଛି। ଉତ୍ତରେଶ୍ୱର ୟୁ.ପି ସ୍କୁଲ ମଟରଗାଡିଆରେ ୩୪ବର୍ଷ ଧରି ସ୍କୁଲ ଚାଲିଥିବା ବେଳେ ଗତ ଜୁନ ୩୦ତାରିଖରେ ସ୍କୁଲ ଟି ବନ୍ଦ ହୋଇଗଲା। ଏଠାରେ ଶିକ୍ଷାଦାନ କରୁଥିବା ଦୁଇ ଶିକ୍ଷକ ଅବସର ନେଇଯିବାରୁ ସେହିଦିନ ଠାରୁ ୩୩ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟରେ ତାଲା ପଡ଼ିଲା।  ଏବେ ଏହି ଛାତ୍ର ଛାତ୍ରୀ ମାନେ ୩କିଲୋମିଟର ଦୂର ସ୍କୁଲରେ ଯାଇ ନାମ ଲେଖାଇଛନ୍ତି। ଯାହାକୁ ନେଇ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରେ ଝଣଝଣାର ବନଦୁର୍ଗା ୟୁ.ପି ସ୍କୁଲ, ଭାତକରୁଆର ସର୍ବ ମା ମଙ୍ଗଳା ୟୁପି ସ୍କୁଲ, ଭୂତପଦା ୟୁପି ସ୍କୁଲ, ବନ୍ଦ ହୋଇଯାଇଥିବା ବେଳେ ଆଉ ଦୁଇ ତିନୋଟି ସ୍କୁଲ ଜୁଲାଇ ୩୧ଓ ଅଗଷ୍ଟ ୩୧ରେ ବନ୍ଦ ହେବାକୁ ଯାଉଛି। ସେହିପରି ୧୨ଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍କୁଲ ମଧ୍ୟରୁ ମଧୁବନ, ଅତୁରିକୋଣା, ନୂଆଗାଁ, ବିରିଡ଼ି, ଅଣତିରା ଆଦି ସ୍କୁଲ ବନ୍ଦ ହୋଇଯାଇଛି। ସେହିପରି ସମାନ ଢ଼ଙ୍ଗରେ ନୂଆରମ୍ପାସ ୟୂପି ସ୍କୁଲ ବନ୍ଦ ହୋଇଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାର ପାଖରେ ଥିବା ପ୍ରଥମିକ ବିଦ୍ୟାଳୟକୁ ଅପଗ୍ରେଡେଡ କରି ନୂତନ ଶିକ୍ଷକ ନିଯୁକ୍ତି ଦେବାରୁ ଗ୍ରାମର ଛାତ୍ର ଛାତ୍ରୀ ମାନେ ଶିକ୍ଷାଲାଭ କରି ପାରୁଛନ୍ତି। ତେଣୁ ସରକାର ନୂଆରମ୍ପାସ ଭଳି ବନ୍ଦ ହୋଇଯାଇଥିବା ଅନ୍ୟ ସ୍କୁଲ ଗୁଡିକ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଅପଗ୍ରେଡେଡ କରାଇ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ମଟରଗାଡିଆ ସ୍କୁଲକୁ ଅପଗ୍ରେଡେଡ କରିବାକୁ ଗ୍ରାମର ଅଭୟ ନାୟକ, ରବୀନ୍ଦ୍ର ନାୟକ, ହିମାଂଶୁ ନାୟକ ସୁଧାଂଶୁ ନାୟକ , ମାନସ ନାୟକ, ଆକାଶ ନାୟକ, ରାମଚନ୍ଦ୍ର ସେଠୀ, ଅଲେଖ ସେଠୀ, ରତ୍ନାକର ପ୍ରଧନ, ନାରାୟଣ ନାୟକ, ପ୍ରଦିପ ସେଠୀ, ଅନାମ ନାୟକ, ମନୋଜ ନାୟକ, ରାଜେଶ କୁମାର ନାୟକ, ସତ୍ୟବ୍ରତ ସେଠୀ ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ