ଆମ୍ବକୁ ପାଚିଲା କରିବାକୁ ବ୍ୟବହାର କରାଯାଉଛି କାର୍ବାଇଡ଼
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଉପଯୁକ୍ତ ସମୟ ପୂର୍ବରୁ ପାଚିଯାଉଛି ଆମ୍ବ ଓ କଦଳୀ । ଭିତରେ କଞ୍ଚା ଥିଲେ ହେଁ ବାହାରକୁ ନାଲି ଓ ହଳଦିଆ ଦେଖାଯାଉଛି। ଗ୍ରାହକ ପାଚିଲା ଫଳ ଭାବି କିଣି ନେବା ବେଳକୁ ବାସ୍ତବରେ ଯେ ସେମାନେ ରାସାୟନିକ ପ୍ରୟୋଗ କରାଯାଇଥିବା ଫଳ ବା ବିଷ କିଣି ନେଉଛନ୍ତି ତାହା ଜାଣିପାରୁନାହାନ୍ତି । ନିକଟରେ ସାବିତ୍ରୀ ଅମାବାସ୍ୟା ପାଇଁ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ମୁଖ୍ୟ ବଜାର ଚଳଚଞ୍ଚଳ ଥିଲା । ଖରାଦିନେ ଆମ୍ବକୁ ଅଧିକ କିଣି ନିଅନ୍ତି ଗ୍ରାହକ। କଦଳୀ ବର୍ଷ ଯାକର ଖାଦ୍ୟ । ଅଥଚ ଗ୍ରାହକ ଙ୍କୁ ଠକି ସେମାନଙ୍କୁ ନିଜର ଲାଭ ପାଇଁ ପାଚିଲା ଫଳ ନାଁରେ ବିଷ ବିକୁଛନ୍ତି ନିଦ୍ଧିଷ୍ଟ ବେପାରୀ । ଗତ ସାବିତ୍ରୀ ସମୟରେ ଅନେକ ବ୍ୟବସାୟୀ ଫଳ ପାଚିନଥିବାରୁ ବ୍ୟବସାୟୀ କୁତ୍ରିମ ଉପାୟରେ ପାଚିଲା କରି ବିକ୍ରି କରାଯାଉଛି ।ରାସାୟନିକ ଦ୍ରବ୍ୟ ଓ ରଙ୍ଗ ପ୍ରୟୋଗ କରି ଜବରଦସ୍ତ ପଚାଇ ମନୋଲୋଭା ରଙ୍ଗ କରି ଫଳକୁ ବଜାରରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଥିଲା । ଏବେ ବ୍ୟବସାୟୀ ବିକ୍ରି କରିବା ପାଇଁ କିଛି ଘଣ୍ଟା ମଧ୍ୟରେ ଆମ୍ବ କୁ ପଚାଇ ଦେଉଛନ୍ତି। ମାତ୍ର ୩ ରୁ ୫ଘଣ୍ଟା ମଧ୍ୟରେ କଦଳୀ ପାଚୁଛି। ଏସବୁକୁ ଖାଇ ମାରାତ୍ମକ ରୋଗର ଶିକାର ହେଉଛନ୍ତି ଗ୍ରାହକ। ଫଳ ମାନଙ୍କ ମଧ୍ୟରେ ଆମ୍ବ କୁ ରାଜା ବୋଲି କୁହାଯାଏ। ଗ୍ରୀଷ୍ମ ଋତୁରେ ଏହାର ଚାହିଦା ସର୍ବାଧିକ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନେ ରାଜ୍ୟ ତଥା ଦେଶରେ ବିଭିନ୍ନ ସ୍ଥାନରୁ ଆମ୍ବ ଆଣି ବିକିଥାନ୍ତି। ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ଆମ୍ରପଲ୍ଲୀ,ବାଇଗଣ ପଲେଇ, ମଲ୍ଲୀକା ଭଳି ଆମ୍ବ ଗୁଡିକ ଚାହିଦା ଓ ବିକ୍ରିବଟା ଅଧିକ । ଖରା ଦିନେ ଦର ଯେତେ ଅଧିକ ହେଲେ ବି ଗ୍ରାହକ ଆମ୍ବ କିଣନ୍ତି। ତେବେ ଲୋକଙ୍କୁ ଗୁଣାତ୍ମକ ଆମ୍ବ ବିକ୍ରି ବଦଳରେ ଶୀଘ୍ର ଏହା ପଚାଇବାକୁ ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଉଛି। ପରୋକ୍ଷରେ ଲୋକ ଟଙ୍କା ଦେଇ ବିଷ କିଣୁଛନ୍ତି ଓ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫଳକୁ ସତେଜ ରଖିବା ଓ ଗ୍ରାହକ ଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ଙ୍କ କୌଶଳ ଗ୍ରାହକଙ୍କ ପାଇଁ କ୍ଷତିକାରକ ହେଉଛି। ଅନେକ ପାଚିଲା ଆମ୍ବରେ ବିଷାକ୍ତ କାର୍ବାଇଡି ଓ କଦଳୀରେ ଇଥେଫୋନ ବ୍ୟବହାର କରାଯାଉଛି। ଜଲଦି ତୋଳି ବିକିବା ଆଳରେ ଗଛରେ ଆମ୍ବ ପାଚିଲା ପର୍ଯ୍ୟନ୍ତ ଅପେକ୍ଷା ନକରି ତାହାକୁ କଞ୍ଚା ଅବସ୍ଥାରେ ତୋଳି କ୍ୟାଲସିୟମ କାର୍ବାଇଡି ପ୍ରୟୋଗ କରାଯାଉଛି। ଉପରୁ ପାଚିଲା ଦେଖାଯାଉଥିବା ଏହି ଆମ୍ବ ପାଟିକୁ ସୁଆଦ ଲାଗୁଛି, ମାତ୍ର ଶରୀର ପାଇଁ କ୍ଷତିକାରକ ସାଜୁଛି। କ୍ୟାଲସିୟମ କାର୍ବାଇଡି ବାହାରୁଥିବା ଏସିଟିଲିନ ଗ୍ୟାସ ଫଳରେ ରହି କ୍ୟାନସାର ଭଳି ରୋଗକୁ ଏହା ଆମନ୍ତ୍ରଣ କରୁଛି। ପାଟିରେ ଘା, ପେଟ ରୋଗ, ଥାଇରଏଡ଼ ଓ ଆଲର୍ଜି ଭଳି ରୋଗ ହୁଏ। କଦଳୀ, ସପୁରୀ, ପଣସ ତଥା ଅସ୍ତରଙ୍ଗ, କାକଟପୁର ବଜାରରେ ମିଳୁଥିବା ପ୍ରାୟ ଅଧିକାଂଶ ଫଳରେ ଏଭଳି କେମିକାଲ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ଏହାକୁ ଖାଦ୍ୟ ସୁରକ୍ଷା ବିଭାଗ ଯାଞ୍ଚ କରିବାକୁ ସାଧାରଣ ଦାବୀ ହେଉଛି। ଖାଦ୍ୟ ସୁରକ୍ଷା ଆଇନି ୨୦୦୬ଅନୁଯାୟୀ ଏହି କେମିକାଲ ବ୍ୟବହାର ଉପର କଟକଣା ଥିଲେ ହେଁ ଏହାକୁ ଅଣଦେଖା କରୁଛନ୍ତି ଅନେକ ବେପାରୀ । ଏହାର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଫଳ ବେପାରୀ, ଚାଷୀଙ୍କ ଠାରୁ ଆରମ୍ଭ କରି ଗ୍ରାହକ ଙ୍କୁ ସଚେତନ କରାଇବା ମଧ୍ୟ ଜରୁରୀ ।


