ଦାଦାକୁ ପୁତୁରା ହତ୍ୟା ଘଟଣା: ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ସାନ୍ତସାହିରେ ବାବୁଲା ବାରିକଙ୍କୁ ତାଙ୍କ ପୁତୁରା ହତ୍ୟା ଘଟଣାରେ ସୋମବାର ସାଇଣ୍ଟିିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସପି ସିଦ୍ଧାର୍ଥ କଟ୍ଟାରିଆ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ସେମାନଙ୍କର ଜମିବାଡି ବିବାଦ କେତେଦିନ ହେବ ଚାଲିଥିଲା। ପୂର୍ବରୁ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା କି ନାହିଁ। ଥାନାକୁ ଯଦି ଅଭିଯୋଗ ଆସିଥିଲା ତେବେ ପୋଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାକୁ ନେଇ କୋର୍ଟରେ ପୂର୍ବରୁ କୌଣସି ମାମଲା ହୋଇଛି କି ନାହିଁ ସେ ସମ୍ପର୍କରେ ଏସପି ମୃତକ ବାବୁଲା ବାରିକଙ୍କ ପତ୍ନୀ ପ୍ରଭାତି ବାରିକଙ୍କ ଠାରୁ ପଚାରି ବୁଝିଥିଲେ। ଏସପିଙ୍କ ସହ ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ଓ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ସେହିପରି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିି ତଦନ୍ତ କରିଥିଲା। ଯେଉଁ ପଥରରେ ଅଭିଯୁକ୍ତ ପୁତୁରା ହିମାଂଶୁ ଦାଦା ବାବୁଲାକୁ ଛେଚି ହତ୍ୟା କରିଥିଲା ସେ ପଥରକୁ ଜବତ କରାଯାଇଛି। ସେହିପରି ଘଟଣା ସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପୋଲିସ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଛି। ଖୁବଶୀଘ୍ର ହତ୍ୟାକାରୀ ଓ ଅନ୍ୟ ସହଯୋଗୀମାନେ ଗିରଫ ହେବେ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ପୋଲିସର ସୂଚନା ଅନୁଯାୟୀ ମୃତ ବାବୁଲା ବାରିକ ଓ ତାଙ୍କ ବଡ଼ ଭାଇ ସ୍ୱର୍ଗତ ବାବୁ ବାରିକଙ୍କ ପରିବାର ସହ ଜମି ବାଡିକୁ ନେଇ ବିବାଦ ରହିଥିଲା। ଗତ ଦୁଇ ମାସ ତଳେ ଦୁଇ ପରିବାର ମଧ୍ୟରେ ମାଡଗୋଳ ହୋଇ ମାମଲା ଥାନାକୁ ଯାଇଥିଲା। ହେଲେ ପୋଲିସ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଦାଦାକୁ ହତ୍ୟା କରିବା ପାଇଁ ପୁତୁରା ହିମାଂଶୁ ଓ ତାଙ୍କର ଅନ୍ୟ ଦୁଇ ଭାଇ ପୂର୍ଣ୍ଣ ଓ ରବି ଯୋଜନା କରିଥିଲେ। ଗତ ରବିବାର ରାତିରେ ବାବୁଲା ଘରକୁ ଫେରିବା ପରେ ପୁତୁରାମାନଙ୍କ ସହ ଜମିବାଡି ବିବାଦକୁ ନେଇ ଯୁକ୍ତିତର୍କ ହୋଇଥିଲା। ଫଳରେ ହିମାଂଶୁ ଏକ ବଲ୍ଲାରେ ବାବୁଲାଙ୍କୁ ଆକ୍ରମଣ କରିଥିଲେ। ସେ ତଳେ ପଡିଯିବା ପରେ ତାଙ୍କୁ ଏକ ପଥରରେ ଛେଚି ଦେଇଥିଲେ। ଏଥିରେ ଅନ୍ୟ ଦୁଇ ଭାଇ ପୂର୍ଣ୍ଣ ଓ ରବି ସହଯୋଗ କରିଥିଲେ। ଫଳରେ ଘଟଣା ସ୍ଥଳରେ ବାବୁଲା ଗୁରୁତର ହୋଇ ପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ