ଚାଲିଛି ବାଲି ଚୋରା ଚାଲାଣ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ଓ ଅସ୍ତରଙ୍ଗ ଅଂଚଳରେ ନଦୀକୁ ସୁରକ୍ଷା ଦେବା ଲାଗି ହେଉ କିମ୍ବା ବିଭିନ୍ନ କାରଣ ବଶତଃ ବାଲି ଗାଡି ଧରିବାରେ ପୂର୍ବରୁ ପୁଲିସ କୁ ଅନେକ ସଫଳତା ମିଳିଛି । କିନ୍ତୁ ଦୁର୍ଭାଗ୍ୟ ବିଷୟ କିଛି ମାସ ହେବ ଖୁଲମ ଖୁଲ୍ଲା ରାତିରାତି ଶହ ଶହ ଟ୍ରିପ ବାଲି ଗାଡି ଚାଲୁଥିବା ବେଳେ ପୁଲିସ କାହିଁକି ହାତବାନ୍ଧି ବସିଛି ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ନିକଟସ୍ଥ ଦେଵୀ ନଦୀ ହେଉ କି ବାହାର ଅଂଚଳର ଅନ୍ୟ ନଦୀ ଓ ଶାଖା ନଦୀ ଗୁଡିକରେ ଏବେ ଅନେକ ବେଆଇନି ବାଲି ଖାଦାନ ଚାଲିଛି। ପ୍ରତିଦିନ ରାତିରେ ହେଉ କି ନଦୀ ବନ୍ଧରେ ବିନା ନମ୍ବର ପ୍ଲେଟ ଥିବା ଟ୍ରାକ୍ଟର ମାଧ୍ୟ୍ୟମରେ ଶହ ଶହ ଟ୍ରିପ ବାଲି ଉଠାଯାଉଛି। ଏହି ବାଲି କୁ ପୁରୀ ଜିଲ୍ଲାର ଚାରିଛକ, କାକଟପୁର ଓ ଅସ୍ତରଙ୍ଗ ଦେଇ ହାଇୱା ଜରିଆରେ ପଠାଯାଉଛି। କିନ୍ତୁ ବାଲି ଚାଲାଣ ଉପରେ ଏସ୍ପି ଙ୍କ ତୀକ୍ଷ୍ଣ ନଜର ଦେବାକୁ ନିର୍ଦେଶ ଥିବା ବେଳେ କାକଟପୁର ଓ ଅସ୍ତରଙ୍ଗ ପୁଲିସ ର ନିଷ୍କ୍ରିୟତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଲି ଚାଲାଣ କରୁଥିବା ହାଇୱା କର୍ମଚାରୀ ଓ ପୁଲିସ ମଧ୍ୟରେ ଗଢିଉଠିଥିବା ଭିତିରି ସମ୍ପର୍କ ବାବଦରେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଅନ୍ୟ ପଟେ ବିଭିନ୍ନ ନଦୀ ଘାଟ ହେଉ କି ଦେଵୀ ନଦୀ ରୁ ବେଆଇନି ବାଲିଖାଦାନରୁ ଦିନରାତି ଶହ ଶହ ଟ୍ରିପ ବାଲି ଉଠାଯାଉଛି। ଏହା ପରେ ହାଇୱା ଜରିଆରେ ବାଲି ବିଭିନ୍ନ ଅଂଚଳ କୁ ଚାଲାଣ କରାଯାଉଛି। ବିନା ଟିପି ଓ ଓଭରଲୋଡିଂ କରି ବାଲିଗାଡି ଚାଲୁଥିବା ବେଳେ ଏହା ନୟାହାଟ ଫାଣ୍ଡି,କାକଟପୁର ଥାନା ଓ ଅସ୍ତରଙ୍ଗ ଥାନା ଅତିକ୍ରମ କରି ଯାଉଥିଲେ ମଧ୍ୟ ପୁଲିସ ସମ୍ପୂର୍ଣ୍ଣ ଭାବେ ନିରବଦ୍ରଷ୍ଟା ସାଜିଛି। ଲୋକ ଦେଖାଣିଆ ଭାବେ ଗଣ ମାଧ୍ୟ୍ୟମରେ କେତେବେଳେ ଖବର ପ୍ରକାଶ ପାଇଲେ, ବଡ଼ ଧରଣ ଅଭିଯୋଗ ହେଲେ କିମ୍ବା ଅନ୍ୟ କାରଣ ଥିଲେ ମଧ୍ୟ ବାଲିଗାଡି ଧରିବା ନେଇ ନିଦ ଭାଙ୍ଗୁଛି। ଏହା ପଛରେ ପୁଲିସ ଓ ବାଲି ଚାଲାଣ କାରୀ ଙ୍କ ମଧ୍ୟରେ ବଡ଼ ଧରଣର ଭିତିରି ବୁଝାମଣା ହୋଇଥିବା ଜଣାପଡିଛି। ବୁଝାମଣା ସୁରୂପ ଯେଉଁଠାରେ ବେଆଇନି ବାଲି ଉତ୍ତୋଳନ କରାଯାଉଛି, ସେଠାକୁ ପୁଲିସ କେବେ ମଧ୍ୟ ନିଜ ତରଫରୁ ଯିବ ନାହିଁ। ଯଦିଓ ଏହା ଉପରେ ଧରପଗଡ ପାଈଁ ଲଘୁ ଖଣିଜ ବିଭାଗକୁ ଦିଆଯାଇଛି, ସେମାନେ ସମ୍ପୂକ୍ତ ସ୍ଥାନକୁ ଯିବା ବେଳେ ପୁଲିସ ଓ ପ୍ରଶାସନର ସହାୟତା ନେବେ। କିନ୍ତୁ ପୁଲିସ ସେଠାକୁ ଯିବା ବେଳେ କିମ୍ବା ଆଗୁଆ ବାଲି ମାଫିଆଙ୍କୁ ସୂଚନା ଦେଉଛି, ଯାହା ପୂର୍ବରୁ ନଜିର ରହିଛି। ଫଳରେ ବିଭାଗୀୟ ଅଧିକାରୀ ସେଠାରୁ ନିରାଶ ହୋଇ ଫେରୁଥିବା ଦେଖା ଯାଉଛି। ବାଲି ଗାଡି ଯେଉଁ ସବୁ ଥାନା ଅଂଚଳ ଦେଇ ରାସ୍ତା ଅତିକ୍ରମ କରୁଛି, ସେହି ଥାନା ଅଂଚଳରେ ଗାଡି ପିଛା ୩ହଜାରରୁ ୫ହଜାର ଟଙ୍କା ଲେଖାଏଁ ଦଲାଲ ଙ୍କ ସହାୟତାରେ ପୋଲିସ ବାବୁ,ବାବୁଆଣିଙ୍କ ପକେଟ କୁ ଯାଉଛି ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିବର୍ଷ ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବେଆଇନି ବାଲି ଉତ୍ତୋଳନ ବିରୋଧରେ ଗଠିତ ଟାସ୍କଫୋର୍ସ କମିଟି ହେଉଛି କିନ୍ତୁ କଡା କାର୍ଯ୍ୟାନୁଷ୍ଠାନ ହେଉନି। କିଛି ଦିନ ପୂର୍ବେ ତହସିଲଦାର ଙ୍କ କାର୍ଯ୍ୟାଳୟ ମଧ୍ୟରେ ଖଣିଜ ବିଭାଗ ଅଧିକାରୀ, ତହସିଲଦାର, ପୁଲିସ, ବନବିଭାଗ କୁ ନେଇ ଏକ କମିଟି ଗଠିତ ହୋଇଥିଲେ ମଧ୍ୟ । ଏହି କମିଟିରେ ପୁଲିସ ମୁଖ୍ୟ ଭୂମିକା ରହିଥିଲେ ମଧ୍ୟ ଟିମ୍ ଚଢ଼ାଉ କରିବାକୁ ଯିବା ବେଳେ ପୁଲିସ ଯେପରି ତତ୍ପରତା ଦେଖାଇବା କଥା ତାହା ଦେଖିବାକୁ ମିଳୁନାହିଁ, ଯାହାର ଜ୍ୱଳନ୍ତ ଉଦାହରଣ ଷାଠିଏବାଟି ନିକଟରେ ଦେଖିବାକୁ ମିଳିଥିଲା କିଛି ଦିନ ପୂର୍ବେ। କେବେ ଉଚ୍ଚ ସ୍ତରୀୟ ଅଧିକାରୀ ଙ୍କ ନଜର ପଡିବ ତାହା ହିଁ ଅପେକ୍ଷା ।


