ବମକୋଇ ମାଧ୍ୟମିକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମ ସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ଏବଂ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଇଣ୍ଡକ୍ସନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଦେବଦତ୍ତ ସୁବୁଦ୍ଧି ସଭାପତିତ୍ୱ କରିଥିଲେ। ଏଥିରେ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ନବାଗତ ବିଦ୍ୟାର୍ଥୀ ମାନଙ୍କୁ ସ୍ୱାଗତ କରାଯିବା ସହ ଅନୁଷ୍ଠାନର ସମ୍ପୂର୍ଣ୍ଣ ପରିଚୟ ପ୍ରଦାନ କରି ବିଦ୍ୟାଳୟରେ ପଢ଼ାଯାଉଥିବା ବିଷୟ ଗୁଡିକ ଉପରେ ସଚେତନ କରାଯାଇଥିଲା। ଏପରିକି ବିଦ୍ୟାଳୟରେ ଉପଲବ୍ଧ ଥିବା ବିଭିନ୍ନ ଛାତ୍ରବୃତ୍ତିର ସୁବିଧା, ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ବ୍ଯବସ୍ଥା, କ୍ରୀଡା ଓ ଯୋଗ ପ୍ରଶିକ୍ଷଣ, ରେଗିଙ୍ଗ ପ୍ରତିଷେଧକ ବ୍ଯବସ୍ଥା, ଗଠିତ ହୋଇଥିବା ଅଭ୍ୟନ୍ତରିଣ ଅଭିଯୋଗ କମିଟି ଓ ପାଠ୍ୟଖସଡ଼ା ଇତ୍ୟାଦି ବିଷୟ ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ନବାଗତ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ।


