କୋଟିଏ ଟଙ୍କାର କଫ୍‌ ସିରପ୍‌ ଜବତ କଲା ଏସ୍‌ଟିଏଫ

କଟକ, (ଓ୍ବାଇଏନଏସ): ବେଆଇନ୍‌ ଭାବେ ବିକ୍ରି କରାଯାଉଥିବା ବିପୁଳ ପରିମାଣର କଫ୍‌ ସିରପ୍‌କୁ ଜବତ କରିଛି ଏସ୍‌ଟିଏଫ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। କଟକ ବାଦାମବାଡ଼ି ନିୟୁ ଏଲ୍‌ଆଇସି କଲୋନୀରୁ ଟ୍ରାକନ୍‌ କୋରିୟର ସଂସ୍ଥାରେ ଚାଲିଥିଲା ଏହି କାରବାର। ଖବର ପାଇ ଏସ୍‌ଟିଏଫ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଚଢ଼ଉ କରି ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ୫୬ ପେଟିରୁ ଅଧିକ କଫ୍‌ ସିରପ୍‌ ଜବତ କରିଛି। ଏହି ବେଆଇନ୍‌ କାରବାର କରୁଥିବା ସଂସ୍ଥାର ୪ଜଣ କର୍ମଚାରୀ ଏବଂ ମାଲିକଙ୍କୁ ଏସ୍‌ଟିଏଫ ପଚରାଉଚରା କରୁଛି। ସୂଚନା ଅନୁସାରେ, ଏହି ଟ୍ରାକନ କୋରିୟର ସଂସ୍ଥା ବେଆଇନ୍‌ ଭାବେ କଫ୍‌ ସିରପ୍‌ ଆଣି ବିଭିନ୍ନ ଜିଲ୍ଲାକୁ କୋରିୟର ମାଧ୍ୟମରେ ପଠାଉଥିଲା। ବିଶେଷକରି ପଶ୍ଚିମ ଓଡ଼ିଶାକୁ କୋରିୟର ମାଧ୍ୟମରେ ଏହି କଫ୍‌ସିରପ୍‌ ଚାଲାଣ କରାଯାଉଥିବା ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା। ଖବର ପାଇବା ପରେ ଆଜି ଅପରାହ୍ନରେ ଏସ୍‌ଟିଏଫ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଅଧିକାରୀ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି ଲିଙ୍କ୍‌ରେ ମଧ୍ୟ ଭୁବନେଶ୍ୱରର ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା। ରାଜଧାନୀର ବରମୁଣ୍ଡା ଏବଂ ଅନ୍ୟ ୨ଟି ସ୍ଥାନରେ ଚଢ଼ଉ କରାଯାଇଥିବାର ସୂଚନା ମିଳିଛି। ଏସ୍‌ଟିଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟ୍ୱିନ୍‌ ସିଟିରୁ ଟ୍ରେନ୍‌ ଏବଂ କୋରିୟର ମାଧ୍ୟମରେ କଫ୍‌ ସିରପ୍‌ ଚାଲାଣ କରାଯାଉଛି। ଏବେ ସେଠାରୁ ଟ୍ୱିନ୍‌ ସିଟିକୁ ଗଞ୍ଜେଇ ଚାଲାଣ କରାଯାଉଛି। ତେଣୁ ଏହା ଉପରେ ରୋକ ଲଗାଇବା ପାଇଁ ଅଭିଯାନ ଆରମ୍ଭ କରାଯାଉଛି। ଶସ୍ତାରେ କଫ୍‌ ସିରପ୍‌ ମିଳୁଥିବାରୁ ଏହାକୁ ଏକାଧିକ ବ୍ୟକ୍ତି କିଣି ନେଇ ପିଉଛନ୍ତି। ଏଥିରେ ଡ୍ରଗ୍ସ ମିଶୁଥିବାରୁ ନିଶା ପରିମାଣ ଢେର୍‌ ଅଧିକ ହେଉଛି। ଡାକ୍ତରଙ୍କ ଅନୁମତି ବିନା ଏହା ବିକ୍ରି କରିବା ବେଆଇନ୍‌। କିନ୍ତୁ ଅନେକ ଦୋକାନୀ ଦୁଇ ଗୁଣା ଟଙ୍କା ରୋଜଗାର କରିବା ଲୋଭରେ ବେଆଇନ୍‌ ଭାବେ ବିକ୍ରି କରୁଛନ୍ତି। ତେଣୁ ଏହିଭଳି ଚାଲାଣ କରୁଥିବା କୋରିୟର ସଂସ୍ଥା ଉପରେ ଏସ୍‌ଟିଏଫ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଚଢ଼ଉ କରିଛି। ପୂର୍ବରୁ ଭୁବନେଶ୍ୱର ଷ୍ଟେସନ, ମଞ୍ଚେଶ୍ୱର, ଖଣ୍ଡଗିରି ପାହାଡ଼ ପାଦଦେଶରୁ ବିପୁଳ ପରିମାଣର କଫ୍‌ ସିରପ ବିକ୍ରି କରାଯାଉଥିବା ବେଳେ ଧରାପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ