କଫି ଚାଷର ଶୁଭ ଉଦଘାଟନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ତରମାକାନ୍ତ ଗ୍ରାମ ପଂଚାୟତ ଅଧିନସ୍ଥ ଜଳଡିହା ଗ୍ରାମରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, କେନ୍ଦୁଝର ତରଫରୁ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ କଫି ଚାରା ରୋପଣର ଶୁଭାରମ୍ଭ ସମାରୋହ ଆୟୋଜନ କରାଯାଇଥିଲା । ଏଥିରେ ତେଲକୋଇ ବିଧାୟକ ଡ଼ାଃ ଫକୀର ମୋହନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ତା’ ସହିତ ଉପସ୍ଥିତ ଥିବା ଚାଷୀମାନଙ୍କୁ କଫି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜା ରଣଜିତ ପ୍ରତାପ ବଳ ଏବଂ ପ୍ରକଳ୍ପ ନିଦେ୍ର୍ଦଶକ ଜଳବିଭାଜିକା, କେନ୍ଦୁଝର ଅଶୋକ କୁମାର ସେନାପତି ଯୋଗଦେଇ କଫି ଚାଷ ସହିତ ଅନ୍ତଃଚାଷ ଭାବରେ ଗୋଲମରିଚ ଚାଷ କରି ନିଜର ସ୍ଥାୟୀ ଜୀବିକା ଗଠନ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏହି କଫି ବଗିଚାର ଆୟତନ ୮.୦ ହେକ୍ଟର ହୋଇଥିବାବେଳେ ହେକ୍ଟର ପିଛା ୨୨୦୦ ଲେଖାଏଁ କଫି ଗଛ ଲାଗିବାର ସୂଚନା ଦିଆଯାଇଥିଲା । କଫି ବଗିଚା ଚାରି ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପରେ ଚାଷୀ ମାନଙ୍କୁ ହସ୍ତାନ୍ତର କରାଯିବାକୁ ଅବଗତ କରାଗଲା । ଏହି ଉଦ୍ଘାଟନୀ ସମାରୋହରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ରଣା,ବିଧାୟକ ପ୍ରତିନିଧି ଉମାକାନ୍ତ ବାରିକ,ସାଂସଦ ପ୍ରତିନିଧି ପ୍ରହ୍ଲାଦ ମହାକୁଡ,ମଣ୍ଡଳ ସଭାପତି ଶୁକ୍ରା ମୁଣ୍ଡା ଓ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସହକାରୀ ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଦୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।