ସ୍ପେଶାଲ ଓଟିଇଟି ପରୀକ୍ଷା ସ୍ଥଗିତ

କଟକ, (ଓ୍ବାଇଏନଏସ): ପୁଣି ବାତିଲ୍ ହେଲା ଓଟିଇଟି ପରୀକ୍ଷା । ଆସନ୍ତା ୩୧ ତାରିଖ ଦିନ ହେବାକୁ ଥିବା ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପୁଣି ସ୍ଥଗିତ କରାଯିବା ନେଇ ବୋର୍ଡ଼ ଆଜି ବିଧିବଦ୍ଧ ଭାବେ ସୂଚନା ଦେଇଛି । ପୂର୍ବରୁ ୨୦ ଜୁଲାଇରେ ପରୀକ୍ଷା ହେବାର ଥିଲା । କିନ୍ତୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହେବାରୁ ଜୁଲାଇ ୧୯ ତାରିଖ ରାତିରେ ପରୀକ୍ଷା ସ୍ଥଗିତ ହୋଇଥିଲା ।ତେବେ ଏହି ପରୀକ୍ଷା ପାଇଁ ପୁଣି ଥରେ ସାନି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ । ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି,” ଆସନ୍ତା ୩୧ ତାରିଖ ଦିନ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ କରାଯାଇଛି । ଏହି ପରୀକ୍ଷା ପାଇଁ ପୁଣି ଥରେ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ । କେବେ ପରୀକ୍ଷା ହେବ, ତାହା ଖୁବ ଶୀଘ୍ର ନିଷ୍ପତି ହେବ । ନିହାର ମହାନ୍ତିଙ୍କ ଗିରଫଦାରୀ ପରେ ଉପ-ସଭାପତି ପଦରେ ନୂଆ ନିଯୁକ୍ତି ହୋଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ଜଣକୁ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଏହାସହ ବୋର୍ଡରେ କୌଣସି ସ୍ଥାୟୀ ସମ୍ପାଦକ ମଧ୍ୟ ନିଯୁକ୍ତ ହୋଇ ନାହାନ୍ତି । କେବଳ ଜଣେ କାମଚଳା ସମ୍ପାଦକଙ୍କୁ ନେଇ ଏତେ ବଡ଼ ପରୀକ୍ଷା କରାଇବା ପାଇଁ ବୋର୍ଡ଼ ସରକାରଙ୍କ ନିକଟରେ ନିଜର ଅକ୍ଷମତା ପ୍ରକାଶ କରି ଚିଠି ଲେଖି ସାରିଛି ।” ଦୁଇ ଦିନ ତଳେ ନୂଆ ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତ ହୋଇ ଥିଲେ ମଧ୍ୟ ଏତେ କମ୍ ସମୟ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଏବଂ ପରୀକ୍ଷା କରାଇବା ଅସମ୍ଭବ ବୋଲି ବୋର୍ଡ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଶ୍ନପତ୍ର ଲିକ୍ ହେବା ପରେ ଗତମାସ ୨୦ ତାରିଖ ଦିନ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷାକୁ ବାତିଲ୍ କରାଯାଇଥିଲା ଏବଂ ଏହା ପରେ ଅଗଷ୍ଟ ୩୧ ତାରିଖରେ ପୁଣି ଥରେ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ଅଗଷ୍ଟ ୧ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ପୁଣି ଏହି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ