ଗଣେଶ ପୂଜାରେ ଅଗ୍ନି ନିର୍ବାପକ ଯନ୍ତ୍ର ବାଧ୍ୟତାମୂଳକ, ଅଗଷ୍ଟ ୩୧ରେ ଭସାଣି

କଟକ, (ଓ୍ବାଇଏନଏସ): ବହୁ ପୂଜା ମଣ୍ଡପ ପୁରଣା ତାରରେ ବିଦ୍ୟୁତ୍‌ ସଂଯୋଗ କରୁଛନ୍ତି । ତେଣୁ ଅଗ୍ନିକାଣ୍ଡ ଓ ବିଦ୍ୟୁତ୍‌ଜନିତ ଦୁର୍ଘଟଣା ଆଶଙ୍କା ରହୁଛି । ତେଣୁ ସବୁ ପୂଜା ମଣ୍ଡପରେ ଉତ୍ତମମାନର କିମ୍ବା ନୂଆ ତାର ବ୍ୟବହାର ଓ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ବାଧ୍ୟତାମୂଳକ ବୋଲି କଟକ କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ଆଜି ଆୟୋଜିତ ଗଣେଣ ପୂଜା ପ୍ରସ୍ତୁତି ବୈଠକରେ ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଗଣେଶ ଭସାଣି ତାରିଖକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଦେଖାଯାଉଥିଲା ତାହା ଆଜି ବୈଠକରେ ଦୂର ହୋଇଛି । ଗଣେଶ ପୂଜା ଆସନ୍ତା ୨୭ ତାରିଖରେ ହେବା ପରେ ସେହି ମାସ ଅର୍ଥାତ୍‌ ଅଗଷ୍ଟ୍‌ ୩୧ ତାରିଖ ରବିବାର ପ୍ରଥମ ପର୍ଯ୍ୟାୟ ଭସାଣି ହେବ । ଏହାର ପର ଦୁଇ ରବିବାର ଅର୍ଥାତ୍‌ ସେପ୍ଟେମ୍ବର ୭ ଓ ୧୪ ତାରିଖରେ ଆଉ ଦୁଇ ପର୍ଯ୍ୟାୟରେ ଭସାଣି ସରିବ । ତେବେ ବୁଢ଼ା ଗଣେଶ ଭସାଣି ପାଇଁ ଏକ ସ୍ୱତନ୍ତ୍ର ତାରିଖ ସ୍ଥିର କରାଯିବ । ପୂର୍ବବର୍ଷ ଭଳି ଚଳିତ ଥର ସବୁ କମିଟି ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣି ପାଇଁ ସ୍ଥାନୀୟ ଥାନାରୁ ଅନୁମତି ଆଣିବେ । କୌଣସି ପୂଜା ମଣ୍ଡପ ଗଣେଶଙ୍କ ପ୍ରତିମୂର୍ତ୍ତିକୁ କଦର୍ଯ୍ୟ କରି ଗଢ଼ିବେ ନାହିଁ । ପୌରାଣିକ ଦୃଶ୍ୟପଟକୁ ନେଇ ମୂର୍ତ୍ତି ଗଢ଼ାଯାଇପାରିବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଲୀଳତା ରହିବ ନାହିଁ ଓ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜିତ ହେବ । ତେବେ ଭସାଣି ଶୋଭାଯାତ୍ରାରେ ବ୍ୟାଣ୍ଡ୍‌ କିମ୍ବା ସାଉଣ୍ଡ୍‌ ବକ୍ସରେ ଲିମିଟର ମେସିନ୍‌ ଲାଗିବା ବାଧ୍ୟତାମୂଳକ । ଯଦି କୌଣସି ସଂସ୍ଥା ଅମାନ୍ୟ କରନ୍ତି ତାହେଲେ ମାମଲା ରୁଜୁ ହେବ ବୋଲି ବୈଠକରେ ସ୍ପଷ୍ଟ କରି ଦିଆଯାଇଛି । ବୈଠକରେ ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂହ ଅଧ୍ୟକ୍ଷତା କରି ପୂଜାରେ ଆଧୁନିକତା ପ୍ରଦର୍ଶନ ନକରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି । କଟକର ଭାଇଚାରକୁ ବଜୟା ରଖି ପୂଜା-ଭସାଣି ସାରିବାକୁ ସମସ୍ତେ ସଂକଳ୍ପ ନେବାକୁ କମିସନର ଅ।।ହ୍ୱାନ ଦେଇଥିଲେ । କଟକ ମହାନଗର ପୂଜା କମିଟିର ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବୈଠକ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୌଭିକ ବିଶ୍ୱାଳ, ମେୟର ସୁବାସ ସିଂହ, ସିଏମ୍‌ସି କମିସନର କିରଣଦୀପ କୌର ସହୋତା, ବିଜେପି ନେତା ନୟନ କିଶୋର ମହାନ୍ତି, କଂଗ୍ରେସ ନେତା ସୁରେଶ ମହାପାତ୍ର, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସାଧାରଣ ସଂପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ, ସାଧାରଣ ସଂପାଦକ ପ୍ରଫୁଲ୍ଲ ସାହୁ, ସିପିଆଇ ନେତା ଅମରେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ