ରକ୍ତଚାପ ପାଇଁ ପ୍ରାର୍ଥୀ ନିଯୁକ୍ତିରୁ ବାଦ ପଡିବା ବେଆଇନ: ଓପିଏସସି ଆଦେଶକୁ ରଦ୍ଦ କଲେ ହାଇକୋର୍ଟ
କଟକ,(ଓ୍ବାଇଏନଏସ) : ବନ ସଂରକ୍ଷକ ଅଧିକାରୀ (ଏସିଏଫ)ପଦ ଲାଗି ଲିଖୁତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୯ ଜଣ ପ୍ରାର୍ଥୀଙ୍କୁ ମିଳିଲା ହାଇକୋର୍ଟଙ୍କ ଆଶ୍ୱସ୍ତି । ରକ୍ତଚାପ ମାପ ଆଧାରରେ ଓପିଏସସି ପ୍ରାର୍ଥୀଙ୍କୁ ଶାରୀରିକ ମାନକ ପରୀକ୍ଷା ପାଇଁ ଅଯୋଗ୍ୟ ଘୋଷଣା କରି ପାରିବେ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଏପରି ନିୟମ ନଥିବାରୁ କୌଣସି ପ୍ରାର୍ଥୀଙ୍କୁ ପରୀକ୍ଷା ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିବା ସହ ଓପିଏସସି ନିର୍ଦ୍ଦେଶକୁ ଖାରଜ କରି ଦେଇଛନ୍ତି। ସହକାରୀ ବନ ସଂରକ୍ଷକ ଅଧୁକାରୀ ପଦ ଲାଗି ଲିଖୁତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୯ ଜଣ ପ୍ରାର୍ଥୀଙ୍କର ଉଚ୍ଚ ରକ୍ତଚାପ ଥିବା କାରଣରୁ ସେମାନଙ୍କୁ ଫିଜିକାଲ ପରୀକ୍ଷା ଦେବାରୁ ଓପିଏସସି ବଞ୍ଚିତ କରିଥିଲେ। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି , ରକ୍ତଚାପ ମାପ ଆଧାରରେ ପ୍ରାର୍ଥୀଙ୍କୁ ଶାରୀରିକ ମାନକ ପରୀକ୍ଷା ପାଇଁ ଅଯୋଗ୍ୟ ଘୋଷଣା କରାଯିବା ଆଇନ ସମ୍ମତ ନୁହେଁ । ଆବେଦନକାରୀଙ୍କୁ ଶାରୀରିକ ମାନକ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ପ୍ରତିପକ୍ଷ ଅନୁମତି ଦେବାକୁ କୋର୍ଟ କହିଛନ୍ତି । ତେବେ କୋର୍ଟ କହିଛନ୍ତି, ପ୍ରାର୍ଥୀ ତାଙ୍କର ରକ୍ତଚାପ ସ୍ବାଭାବିକ ଥିବା ନେଇ ଡାକ୍ତରୀ ସାର୍ଟିଫିକେଟ ସହିତ ଏକ ଅଣ୍ଡରଟେକିଂ ଦାଖଲ କରିବେ। ଶାରୀରିକ ମାନକ ପରୀକ୍ଷା ଚାରି ସପ୍ତାହ ଭିତରେ କରାଯିବ । ଯଦି ଆବେଦନକାରୀ ଏହି ପରୀକ୍ଷାରେ ଯୋଗ୍ୟ ବୋଲି ବିବେଚିତ ହୁଅନ୍ତି ତେବେ ନିଯୁକ୍ତି ପ୍ରକ୍ରିୟାରେ ଆଗକୁ ତାଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଦେବାଶିଷ ଦାଶ ଓ ଅନ୍ୟମାନଙ୍କ ତରଫରୁ ଦାୟର ତିନୋଟି ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ସୂଚନାଥାଉକି, ଏହି ଲିଖିତ ପରୀକ୍ଷାରେ ୨୫ହଜାର ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ। ଉକ୍ତ ୯ ଆବେଦନକାରୀଙ୍କ ସମେତ ୫୩୩ ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ପାଇଁ ଶାରୀରିକ ମାନକ ପରୀକ୍ଷା ଜୁଲାଇ ୧୫ରେ ଅନୁଷ୍ଠିତ ହେବାକୁ ଥିଲା। ଏହି ଆବେଦନକାରୀଙ୍କ ଆବଶ୍ୟକ ଉଚ୍ଚତା ଓ ଛାତିର ମାପ ଥିବା ବେଳେ ରକ୍ତଚାପ ପରୀକ୍ଷାର ଫଳାଫଳ ଆଧାରରେ ତାଙ୍କୁ ଶାରୀରିକ ସହନଶକ୍ତି ପରୀକ୍ଷା ବା ଚାଲିବା ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା। ୪ ଘଣ୍ଟା ଭିତରେ ପୁରୁଷ ପ୍ରାର୍ଥୀ ୨୫କିମି ଓ ମହିଳା ପ୍ରାର୍ଥୀ ୧୬ କିମି ଚାଲିବେ ବୋଲି ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀରେ ଉଲ୍ଲେଖ କରାଯାଇଥିଲା। ଶାରୀରିକ ସହନଶକ୍ତି ପରୀକ୍ଷା (ଚାଲିବା)ରେ ଅଂଶଗ୍ରହଣ ପାଇଁ ପ୍ରାର୍ଥୀଙ୍କ ରକ୍ତଚାପ ପରୀକ୍ଷାର ଫଳାଫଳ ଆଧାର ବୋଲି କୌଣସି ନିୟମ ବା ନିଯୁକ୍ତି ସର୍ତ୍ତ ନଥିଲା। ତେଣୁ ପ୍ରାର୍ଥୀଙ୍କୁ ରକ୍ତଚାପ ପରୀକ୍ଷା ଫଳାଫଳ ଆଧାରରେ ଅଯୋଗ୍ୟ ଘୋଷଣା କରାଯାଇ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯିବା ବେଆଇନ ଦର୍ଶାଇ ଆବେଦନାକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନିଯୁକ୍ତି ବିଜ୍ଞପ୍ତି ଓ ୨୦୧୩ର ନିୟମାବଳୀ ଉଲ୍ଲଂଘନ କରି ରକ୍ତଚାପ ପରୀକ୍ଷାର ଫଳାଫଳ ଆଧାରରେ ପ୍ରାର୍ଥୀଙ୍କୁ ଶାରୀରିକ ମାନକ ପରୀକ୍ଷାରୁ ବଞ୍ଚିତ କରାଯାଇଥିବା ହାଇକୋର୍ଟରେ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା । କୋର୍ଟ କହିଥିଲେ, ଯେହେତୁ ନିଯୁକ୍ତି ଗାଇଡ ଲାଇନରେ ବ୍ଲଡ ପ୍ରେସର ଅଧିକ ଥିଲେ ପ୍ରାର୍ଥୀ ପରୀକ୍ଷା ଦେଇ ପାରିବ ନାହିଁ ବୋଲି ଉଲ୍ଲେଖ ନାହିଁ ତେଣୁ ନିଯୁକ୍ତି ସଂସ୍ଥା ମନମୁଖୀ ଭାବେ ଏପରି କରି ପାରିବେ ନାହିଁ । ଏହି ଆଧାରରେ କୋର୍ଟ ଓପିଏସସିର ଆଦେଶକୁ ରଦ୍ଦ କରି ଦେଇଛନ୍ତି ।


