ସାହାରା ନର୍ସିଂ ହୋମରେ ପ୍ରସୂତି ଓ ନବଜାତ ମୃତ୍ୟୁ ଘଟଣା : ନର୍ସିଂ ହୋମ ମାଲିକ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମରେ ଥିବା ସାହାରା ନର୍ସିଂ ହୋମରେ ଗତ ୧୧ ମଇରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଦ୍ଵାରା ଜଣେ ପ୍ରସୂତି ମହିଳା ଏବଂ ନବଜାତ ଙ୍କ ମୃତ୍ୟୁ ଘଟଣାରେ ପୁଲିସ ରବିବାର ନର୍ସିଂ ହୋମ ମାଲିକଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଡେଙ୍ଗାଉସ୍ତା ଗ୍ରାମର ମଙ୍ଗୁଳୁ ଚରଣ ପ୍ରଧାନ (୩୫) । ପୁଲିସ ଏହି ଘଟଣାରେ ପୂର୍ବରୁ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରମୋଦିନୀ ଗମାଙ୍ଗ ଏବଂ ମଧୁମିତା ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଖବରନୁଯାୟୀ , ଡେଙ୍ଗାଓସ୍ତା ଗ୍ରାମ ନିକଟସ୍ଥ ସିଙ୍ଗିପୁର ଗ୍ରାମର ମାଗୁଣି ନାୟକଙ୍କ ଝିଅ ରୋଜି ନାୟକ ହିଞ୍ଜିଳି ଥାନା କରାଖଣ୍ଡି ଗ୍ରାମର ବାବୁ ନାୟକଙ୍କୁ ବିବାହ କରିଥଲେ । ମେ ୧୧ ତାରିଖରେ ରୋଜି ୯ ମାସର ଗର୍ଭବତୀ ଥିବା ବେଳେ ପେଟରେ ଯନ୍ତ୍ରଣା ହେବାରୁ ବାପା ଘର ଲୋକେ ତାଙ୍କୁ ଗ୍ରାମ ନିକଟସ୍ଥ ଏହି ନର୍ସିଂ ହୋମକୁ ଚିକିତ୍ସା ପାଇଁ ଆଣିଥିଲେ । ତେବେ ଉକ୍ତ ନର୍ସିଂ ହୋମ ରେ କୈାଣସି ଅଭିଜ୍ଞ ଡାକ୍ତର ନଥିବା ସତ୍ତ୍ଵେ ଉପସ୍ଥିତ ସ୍ବାସ୍ଥ୍ୟକର୍ମୀ ପ୍ରମୋଦିନୀ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଚିକିତ୍ସାର ୪ ଘଣ୍ଟା ପରେ ପ୍ରସବ ଯନ୍ତ୍ରଣା ଅତ୍ୟଧିକ ହେବାରୁ ଉପ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଏଏନ୍ଏମ୍ ମଧୁମିତା ଉକ୍ତ ନର୍ସିଂ ହୋମକୁ ଆସିଥିଲେ । ଏହାପରେ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ ସମେତ କ୍ଲିନିକ୍ ମାଲିକ ମଙ୍ଗୁଳୁ ଚରଣ ପ୍ରଧାନ ମିଶି ପ୍ରସବ କରାଇବା ନିମନ୍ତେ ରୋଜିଙ୍କ ପରିବାରକୁ କହିଥିଲେ । ସେଠାରେ ତାଙ୍କ ପ୍ରସବ ପରେ ସନ୍ଧ୍ୟା ସମୟରେ ଏକ ମୃତ ଶିଶୁପୁତ୍ର ଜନ୍ମ ହେବା ସହ ରୋଜିଙ୍କ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ତେବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରର କିଛି କ୍ଷଣକ ମଧ୍ୟରେ ରୋଜିଙ୍କ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ତାଙ୍କରି ଅବସ୍ଥା ଗୁରୁତର କହି ଦିଗପହଣ୍ଡି ସରକାରୀ ମେଡିକାଲ ନେବାକୁ ପରିବାରକୁ କହିଥିଲେ । କିନ୍ତୁ ପରିବାର ସଦସ୍ୟ ରୋଜିଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେଇଯାଇଥିଲେ । ଉପସ୍ଥିତ ଡାକ୍ତର ରୋଜିଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାପରେ ନର୍ସିଂ ହୋମରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଅପରପକ୍ଷରେ ମୃତକଙ୍କ ସ୍ବାମୀ ବାବୁ ମେ ୧୩ ରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ କେସ୍ ନଂ ୧୭୪/୨୫ ପ୍ରକାରେ ମକଦ୍ଦମା ରୁଜୁ ତଦନ୍ତ ଆରମ୍ଭ କରିବା ସହ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଗିରଫ କରିଥିଲା । ଏନେଇ ପୂର୍ବରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ନର୍ସିଂ ହୋମକୁ ସିଲ୍ କରାଯାଇଥିଲା । ଏଥିସହ ଗତ ଅଗଷ୍ଟ ୮ ରେ ଅଭିଯୁକ୍ତ ମଙ୍ଗୁଳୁଙ୍କ ନାମରେ ମୃତ ରୋଜିଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଥାନା ମାମଲା ନଂ ୨୮୪/୨୫ ଅନୁସାରେ ଆଉ ଏକ ମାମଲା ଯୋଡ଼ି ହୋଇଥିଲା । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରି ମଙ୍ଗୁଳୁ ଥାନାରୁ କେସ୍ ଉଠାଇକୁ ଧମକ ଦେଇଥିଲା । ଘଟଣା ଦିନରୁ ଅଭିଯୁକ୍ତ ମଙ୍ଗୁଳୁ ଫେରାର ରହିଥିବା ବେଳେ ପୁଲିସ ତାଙ୍କ ବିରୋଧରେ କରାଯାଇଥିବା ମାମଲାର ରୁଜୁ ତଦନ୍ତ ଚଳାଇଥିବା ବେଳେ ଶନିବାର ପୁଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ତାଙ୍କୁ ଗିରଫ କରିଥିଲା । ରବିବାର ଅପରାହ୍ନରେ ମଙ୍ଗୁଳୁଙ୍କୁ ଥାନା କେସ୍ ନଂ ୧୭୪/୨୫ ପ୍ରକାରେ କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।


