ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ତଥା ଜନ ଶୁଣାଣୀ ଶିବିର
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପଚାଂୟତ ସମିତି ସମ୍ମିଳନୀ କକ୍ଷ ଠାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲା ପରିଷଦର ଭାରପ୍ରାପ୍ତ ସିଡିଓ ବିଜୟ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଡଃ ରବିନ୍ଦ୍ର ନାଥ ମଲାଣ, ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ, ବିଡିଓ ସଂମ୍ବିତ ସଂଗ୍ରାମଜିତ ସାହୁ, ଆସିଷ୍ଟାଣ୍ଡ ଇଜିନିୟର ଲଗ୍ନଜିତ ସାହୁ ମଚାଂସିନ ଥିଲେ। ୨୦୨୪-୨୫ ଆର୍ଥିକ ବର୍ଷ ର ସାମାଜିକ ସମୀକ୍ଷା ଅବଧି ୧ ଅକ୍ଟୋବର ୨୦୨୪ ଠାରୁ ୩୧ ମାର୍ଚ୍ଚ ୨୦୨୫ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟର ସମୀକ୍ଷା କରିବା ସହ ଯେଉଁ ଯେଉଁ ପଂଚାୟତ ଗୁଡିକରେ ସମସ୍ୟା ଦେଖାଦେଇଛି ସେ ଗୁଡିକ ତୁରନ୍ତ ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେବା ସହ ସମସ୍ତ କାର୍ଯ୍ୟ ଗୁଡିକ ସଠିକ୍ ଭାବେ କିପରି କାର୍ଯ୍ୟକ୍ଷମ ହେଇପାରିବ ସେଥି ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ପ୍ରାରମ୍ଭରେ ଛତ୍ରପୁର ବ୍ଲକର ଏପିଓ ସନ୍ତୋଷିନୀ ପାତ୍ର ଗତଥରର ବିବରଣୀ ପାଠ ପଠନ କହିଥିଲେ। ଏହାସହ ୨୦୨୪-୨୫ ଆର୍ଥିକ ବର୍ଷର ବିବରଣୀ ପ୍ରଦାନ କରିବା ସହ ୧୮ ଟି ପଂଚାୟତରେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାବଦରେ ୧୫୪.୭ ଲକ୍ଷ ଖର୍ଚ୍ଚ ହୋଇଥିବା ସୂଚନା ମିଳିଥିବା ବେଳେ ଏଥି ନିମନ୍ତେ ୨୧୪ ଟି ପ୍ରକଳ୍ପ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ୧୯୬ ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ ୧୮ ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ୧୮ ପଚାଂୟତ ରେ ଚାଲିଥିବା ପ୍ରକଳ୍ପ ମଧ୍ୟରୁ ୬ ପଚାଂୟତରେ ରେ ଗୋଟିଏ ବି ପ୍ରକଳ୍ପ କାମ ଶେଷ ହୋଇନାହିଁ। ଅଣକୁଶଳୀ ବାବଦରେ ୧୨୦.୪ ଲକ୍ଷ ଟଙ୍କା ଏବଂ ଅର୍ଦ୍ଧକୁଶଳୀ ବାବଦରେ ୩.୮୮ଲକ୍ଷ ଟଙ୍କା ଓ ସାମଗ୍ରିକ ବାବଦରେ ୩୦.୪୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତର ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୨୭୨ ଟି ଜବ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୧୫୩୭୩ ଜବ କାର୍ଡ ଧାରି ମାନେ ସକ୍ରିୟ ରହିଛନ୍ତି । ସେଥି ମଧ୍ୟରୁ ୧୯୪୦୯ ଶ୍ରମିକ ସକ୍ରିୟ ଭାବେ ରହି କାର୍ଯ୍ୟ କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ୧୪୧୩୭୯ ଶ୍ରମ ଦିବସ ସୃଷ୍ଟି ହୋଇଛି । ୨୨୫ ଟି ପରିବାରକୁ ୧୦୦ ଦିନ କାମ ପାଇଥିବା ସୂଚନା ମିଳିଛି । ବ୍ଲକ ସାମାଜିକ ସମିକ୍ଷକ କୈାଣସି କାମ ଠିକ କରୁନାହାନ୍ତି କି କାର୍ଯ୍ୟାଳୟ ମଧ୍ୟ ସଠିକ ଭାବେ ଆସୁନଥିବା ନେଇ ବିଡିଓ ବିରକ୍ତି ପ୍ରକାଶ କରିଥିଲେ। କୈାଣସି ଅଡିଟ ମଧ୍ୟ ଠିକ ଭାବେ କରୁନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଭାରପ୍ରାପ୍ତି ସିଡିଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କରି କୈାଣସି କାମରେ ସନ୍ତୋଷ ଜଣକ ନଥିବା ବୈଠକରେ କୁହାଯାଇଥିଲା। ପଚାଂୟତରେ କୈାଣସି ଅଡିଟ କାମ କିମ୍ବା ଗ୍ରାମସଭାରେ ସମିତିସଭ୍ୟାଙ୍କୁ ଡକାଯାଉନଥିବା ସୁନ୍ଦରପୁରସମିତିସଭ୍ୟା ସୁଜ୍ଞାନି ସେଠୀ ଅଭିଯୋଗ ଆଣିଥିଲେ। ବ୍ଲକରେ ଯେଉଁ ସବୁ ବିଦ୍ୟାଳୟରେ କୋଠା ମରାମତି କାମ ଆବଶ୍ୟକ ତାହା ଅବଗତ କରାଇବାକୁ କୁହାଯାଇଛି। ପ୍ରତ୍ୟେକ ବିଦ୍ୟାଳୟରେ ଶୈାଚାଳୟ ନିତାନ୍ତ ରହିବ। ପ୍ରତି ପଚାଂୟତରେ ଗଛ ଲଗାଇବା ଉପରେ ବିଡିଓ ଗୁରୁତ୍ୱ ଦେଇଥିଲେ। ପ୍ରତ୍ୟେକ କାର୍ଯ୍ୟରେ ଯେପରି ସ୍ୱଛତା ରହିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଆଗାମୀ ଦିନରେ ବିଭାଗ ଅଧିକାରୀ ଓ ପ ଞ୍ଚାୟତରାଜ ପ୍ରତନିଧୀ ମାନେ ସମନ୍ୱୟ ରଖି ସଠିକ ଭାବେ କାର୍ଯ୍ୟ କରିଲେ ଏମନରେଗା ରେ ଛତ୍ରପୁର ବ୍ଲକ ଏକ ସମ୍ମାନଜନକ ସ୍ଥାନରେ ପହଞ୍ଚି ପାରିବ ବୋଲି କୁହାଯାଇଛି। ଏହି ବୈଠକରେ ବ୍ଲକର ଜନପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଆସିଷ୍ଟାଣ୍ଡ ଇଜିନିୟର ଲଗ୍ନଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


