ତହସିଲରେ କର୍ମଚାରୀ ଅଭାବ ପୂରଣ ନକଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ: ଜୟଦେବ ଜେନା
ହାଟଡିହି (ପାର୍ଥ ସୌରଭ ସା) କେନ୍ଦୁଝର ଜିଲ୍ଲାର ସର୍ବ ବୃହତ ତହସିଲ ଭାବେ ପରିଚିତ ହାଟଡିହି ତହସିଲରେ କର୍ମଚାରୀ ଅଭାବ ଯୋଗୁଁ ଅଚଳାବସ୍ଥା ଦେଖା ଦେବା ଘଟଣା ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ଉଦବେଗ ପ୍ରକାଶ କରିଛନ୍ତି। ସରକାର ଲୋକ ମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ହାଟଡିହି ତହସିଲ ଅଞ୍ଚଳର ଲୋକମାନେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ଯେକୌଣସି କାମ ପାଇଁ ଲୋକମାନେ ମାସ ମାସ ଧରି କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ଲୋକଙ୍କ ସରକାର କହୁଥିବା ମୂଖ୍ୟମନ୍ତ୍ରୀ ନିଜ ଜିଲ୍ଲା ପ୍ରତି ଦୃଷ୍ଟି ଦେଉ ନାହାନ୍ତି କାହିଁକି। ସାଧାରଣ ଜନତାଙ୍କର ଅଧୂକାର କାହିଁକି ଅବହେଳିତ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ହାଟଡିହି ତହସିଲ କାର୍ଯ୍ୟାଳୟର ଅବସ୍ଥା ଆଜି ଲଜ୍ଜାଜନକ । ଏଠାରେ ସଧାରଣ ଲୋକଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ନାହିଁ। ତହସିଲକୁ କୌଣସି କାମରେ ଆସୁଥିବା ଲୋକମାନେ ଏବଂ ବିଶେଷକରି ମହିଳାମାନେ ଏଥିପାଇଁ ନାନା କଷ୍ଟ ପାଉଛନ୍ତି। ହାଟଡିହି ତହସିଲ ଅଧୀନ ଲୋକଙ୍କୁ ଅବହେଳା ନୁହେଁ, ସମ୍ମାନ ସହିତ ସେବା ଦରକାର। ତେଣୁ କର୍ମଚାରୀ ନିଯୁକ୍ତି ସହିତ ଲୋକଙ୍କ ମୌଳିକ 6ସେବା ଯୋଗାଇ ଦିଆ ନ ଯାଏ ତେବେ ଓ ଯଦି ଏଥିରେ ବିଳମ୍ବ ଘଟେ ତେବେ ଲୋକଙ୍କ ସହିତ କଂଗ୍ରେସ ରାଜ ରାସ୍ତାକୁ ଆସିବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ହାଟଡିହି ତହସିଲଟି ଜିଲ୍ଲାର ସର୍ବ ବୃହତ ତହସିଲ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ର ଅବହେଳା ଯୋଗୁଁ ଅବହେଳିତ ଅବସ୍ଥାରେ ଅଛି। ଏଠାରେ ୧୩ ଜଣ ପିଅନ ରହିବା ସ୍ଥଳେ ମାତ୍ର ଜଣେ ପିଅନ ଅଛନ୍ତି। ଆରଆଇ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ପିଅନ ପଦବୀ ଖାଲି ପଡ଼ିଛି | ଆରଆଇ କୌଣସି କାର୍ଯ୍ୟରେ ବାହାରକୁ ଗଲେ ଅଫିସରେ ତାଲା ପକାଇ ଯାଉଛନ୍ତି। ସେହିପରି ୧୧ଟି ଏଆରଆଇ ପଦବୀ ମଧ୍ୟରୁ ମାତ୍ର ଦୁଇଜଣ ଏ.ଆର.ଆଇ ଅଛନ୍ତି। ସେହିପରି ୧୧ଟି ଅମିନ ପଦବୀ ଥିବାବେଳେ ସେଥି ମଧ୍ଯରୁ ୨ଜଣ ଅମିନ ଅଛନ୍ତି। ବିଶେଷ କରି ଅମିନ ଅଭାବ ଯୋଗୁଁ ଜମିଜମା ମାପ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି। ସେହିପରି ୪ ଟି ପ୍ରୋସେସ ସର୍ଭର ପଦବୀ ମଧ୍ଯ ଖାଲି ପଡ଼ିଛି। ଯାହାଦ୍ଵାରା ନୋଟିସ୍ ଓ ଚିଠି ପତ୍ର ବନ୍ତିବାରେ ସମ୍ପୁର୍ଣ୍ଣ ବ୍ୟାଘାତ ଘଟୁଛି। ୬ଟି ଚେନମ୍ୟାନ ପଦବୀ ମଧ୍ୟରୁ ୪ଟି ପଦବୀ ଖାଲି ପଡିଥିବା ବେଳେ ୨ଜଣ ଚେନ ମ୍ୟାନ ଅଛନ୍ତି। ତନ୍ମଧ୍ୟରୁ ଜଣକୁ ଡେପୁଟେଶନରେ ଘଷିପୁରା ତହସିଲକୁ ପଠା ଯାଇଛି। ୪ଟି ୱାଚମ୍ୟାନ ପଦବୀ ଥିବାବେଳେ ସମସ୍ତ ପଦବୀ ଖାଲି ରହିଛି। ସେକ୍ସନ ଅଫିସର ଜଣେ ପଦବୀ ଥିଲେ ବି ସେ ଡେପୁଟେସନରେ କେନ୍ଦୁଝରରେ ଅଛନ୍ତି। ସେହିପରି ରେଭିନ୍ୟୁ ସୁପରଭାଇଜର ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅଛନ୍ତି । ଫଳରେ ତହସିଲ କାର୍ଯ୍ୟଳୟ କାର୍ଯ୍ୟ ଠିକ୍ ଭାବେ ହୋଇପାରୁନି।